Latest Odisha News

BREAKING NEWS

ଦୁଇ ବ୍ରିଟିଶ ନାଗରିକଙ୍କ ଭୁଲ ମୃତଦେହ ହସ୍ତାନ୍ତର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ, MEA କହିଲା…

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଥିବା ଦୁଇ ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରାଯାଇଥିବା ବ୍ରିଟିଶ ଗଣମାଧ୍ୟମର ଦାବିକୁ ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି।

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସେକେଣ୍ଡ ମଧ୍ୟରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ୫୩ ଜଣ ବ୍ରିଟିଶ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ବ୍ରିଟିଶ ଗଣମାଧ୍ୟମର ଏହି ଦାବିକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରି କହିଛି, ‘ଯେ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତଦେହଗୁଡ଼ିକର ଡିଏନଏ ଯାଞ୍ଚ ପରେ ସେଗୁଡ଼ିକୁ କଡ଼ା ନିୟମରେ ରଖାଯାଇଥିଲା। ଉକ୍ତ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସମୟରେ ମର୍ଯ୍ୟାଦାର ଯତ୍ନ ନିଆଯିବା ସହିତ ଯେପରି କୌଣସି ତ୍ରୁଟି ନରୁହେ ସେଥିପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି,‘ ଦୁର୍ଘଟଣା ପରେ ସମ୍ପୃକ୍ତ କର୍ତ୍ତୃପକ୍ଷମାନେ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁଯାୟୀ ମୃତକମାନଙ୍କୁ ଚିହ୍ନଟ କରିଥିଲେ। ଏହି ପ୍ରସଙ୍ଗ ସହିତ ଜଡିତ ଯେକୌଣସି ସମସ୍ୟାର ସମାଧାନ ପାଇଁ ଆମେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ଭାବରେ କାମ କରୁଛୁ।’

ଦୁଇଟି ପରିବାରକୁ ଉଦ୍ଧୃତ କରି ବ୍ରିଟିଶ ଗଣମାଧ୍ୟମ ଦାବି କରିଛି ଯେ, ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଥିବା ବ୍ରିଟିଶ ନାଗରିକଙ୍କ ମୃତଦେହ ହସ୍ତାନ୍ତରରେ ବଡ ତ୍ରୁଟି ହୋଇଛି । ଏଥିରେ ଅଭିଯୋଗ କରାଯାଇଛି ଯେ ଶୋକସନ୍ତପ୍ତ ପରିବାରଗୁଡ଼ିକ ପୁଣି ଥରେ ଗଭୀର ଦୁଃଖର ସମ୍ମୁଖୀନ ହେଉଛନ୍ତି କାରଣ ସେମାନଙ୍କୁ ଭୁଲ ମୃତଦେହ ହସ୍ତାନ୍ତର ହୋଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଜଣେ ମୃତକଙ୍କ ସମ୍ପର୍କୀୟ ତାଙ୍କର ଅନ୍ତିମସଂସ୍କାରକୁ ବାତିଲ କରିବାକୁ ପଡିଲା କାରଣ କଫିନରେ ତାଙ୍କ ପରିବାର ସଦସ୍ୟଙ୍କ ବଦଳରେ ଜଣେ ଅଜ୍ଞାତ ଯାତ୍ରୀଙ୍କ ମୃତଦେହ ଅଛି। ଏହା ମଧ୍ୟ କୁହାଯାଇଛି ଯେ ଏପର୍ଯ୍ୟନ୍ତ ଭୁଲ ପରିଚୟର ଦୁଇଟି ମାମଲା ରିପୋର୍ଟ କରାଯାଇଛି, କିନ୍ତୁ ଏପରି ଆହୁରି ଭୁଲ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି।

Comments are closed.