Latest Odisha News

BREAKING NEWS

ଭାଙ୍ଗୁଛି ମାଓଗଡ଼: ପୁଣି ଆତ୍ମସମର୍ପଣ କଲେ ୬୬ ନକ୍ସଲ

ରାୟପୁର: ଛତିଶଗଡ଼ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୋଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି କେକେବିଏନ୍‌ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଏରିଆ ମୁଖ୍ୟ ରାମନ୍ନା ଇରପା ଓରଫ୍ ବିକେଶ।

ବିକେଶଙ୍କ ସମେତ ଓଡ଼ିଶାରେ କାର୍ଯ୍ୟ କରୁଥିବା ୬ ହାର୍ଡକୋର୍ ନକ୍ସଲ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଦମ୍ପତି ଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ ସରକାର ଏମାନଙ୍କ ନାମରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ବିକେଶ ମାଓବାଦୀଙ୍କ ଅଷ୍ଟମ କମ୍ପାନିର କମାଣ୍ଡର ଥିବା ବେଳେ ଗତ ୩ ବର୍ଷ ଧରି କେକେବିଏନ୍‌ ଡିଭିଜନ୍‌ର ନେତୃତ୍ବ ନେଉଥିଲା। ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ଥିବା ବିକେଶ ନାମରେ ଓଡ଼ିଶାରେ ୧୦ ଲକ୍ଷ ଓ ଛତିଶଗଡ଼ରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। କନ୍ଧମାଳ ପୋଲିସର ଘନଘନ କମ୍ବିଂ ଅପରେସନ୍‌ ପରେ ବିକେଶ ନିଜ ଜନ୍ମସ୍ଥାନ ଛତିଶଗଡ଼ର ବିଜାପୁରକୁ ଯାଇ ଆତ୍ମସର୍ମପଣ କରିଥିଲା।

ଆତ୍ମସମର୍ପଣ କରିଥିବା ଅନ୍ୟ ୬ ମାଓବାଦୀଙ୍କ ମଧ୍ୟରେ ବିକେଶର ପତ୍ନୀ ରାମେ କମଳୁ ଓରଫ୍ ପ୍ରମିଳା ରହିଛନ୍ତି। ପ୍ରମିଳା କେକେବିଏନ୍‌ ଡିଭିଜନରେ କାମ କରୁଥିବା ବେଳେ ତାଙ୍କ ନାମରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଏହି ସମସ୍ତ ମାଓବାଦୀ ଗତ ୫ ବର୍ଷରେ କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଓଡ଼ିଶା ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମସ୍ତ କ୍ୟାଡର୍‌ ହତାଶ ହୋଇ ଆତ୍ମସର୍ମପଣ କରିବାକୁ ଚାହୁଥିବା ବିକେଶ କହିଛନ୍ତି।

ସେହିପରି ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୫ ଜଣ, ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୮ ଜଣ, ସୁକମା ଜିଲ୍ଲା ପୁଲିସ ନିକଟରେ ୫ ଜଣ, ଦନ୍ତେଵାଡ଼ା ଜିଲ୍ଲା ପୁଲିସ ନିକଟରେ ୧୫ ଜଣ ଏବଂ କାଙ୍କେର ଜିଲ୍ଲା ପୁଲିସ ନିକଟରେ ୧୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ସରକାର ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

Comments are closed.