Latest Odisha News

BREAKING NEWS

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ଘଟଣା; ବିଜ୍ଞାନ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍‌ର ଏକ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ନାଁରେ ୭ ଛାତ୍ରୀଙ୍କ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ତାଳଚୁଆ ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଶିକ୍ଷକଙ୍କୁ ନିଲମ୍ବନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଏକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମରପ୍ରସାଦ ମଲ୍ଲିକ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଖରାପ ବ୍ୟବହାର କରି ଆସୁଥିଲେ। ଗତକାଲି ସାତ ଜଣ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସଂପର୍କରେ ଅଭିଯୋଗ ହୋଇଥିଲା। ଜଣେ ଛାତ୍ରୀ କାନ୍ଦିକାନ୍ଦି ଏକଥା ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଆଜି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଦୁଇଟି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୋଗ କରିଥିବା ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଛାତ୍ରୀମାନଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଯାଇଥିଲା। ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। ସେ ଘଟଣାକୁ ସ୍ବୀକାର କରିବା ସହ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଳଚୁଆ ସାମୁଦ୍ରିକ ଥାନାକୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଆଇଆଇସି ବିମଲ କୁମାର ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକ, ଅଭିଭାବକ, ପୀଡ଼ିତା ଛାତ୍ରୀମାନଙ୍କୁ ପଚରାଉଚରା କରିବା ପରେ ବିଜ୍ଞାନ ଶିକ୍ଷକଙ୍କୁ ଥାନାକୁ ନେଇଯାଇଥିଲେ।

ଘଟଣା ସଂପର୍କରେ ପ୍ରଧାନଶିକ୍ଷକ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ।

Comments are closed.