Latest Odisha News

BREAKING NEWS

କଂଗ୍ରେସକୁ ପ୍ରଚଣ୍ଡ ପ୍ରହାର! ଯଦି ସେତେବେଳର ସରକାର ଟିକେ ଚିନ୍ତା କରିଥାନ୍ତା ପିଓକେ ଭାରତକୁ ଆସିଥାନ୍ତା: ମୋଦି

ନୂଆଦିଲ୍ଲୀ: ସଂସଦରେ ‘ଅପରେସନ୍ ସିନ୍ଦୂର’ ବଡ଼ ବିତର୍କ। କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! କୌଣସି ରାଷ୍ଟ୍ର ଭାରତକୁ ବଦଲା ନେବାକୁ ରୋକିନି। ୧୯୩ ରାଷ୍ଟ୍ର ଭାରତ ସପକ୍ଷରେ ଥିଲେ। ଭାରତକୁ ଦୁନିଆର ସମର୍ଥନ ମିଳିଲା । ହେଲେ ପାକିସ୍ତାନ ସମର୍ଥନରେ ମାତ୍ର ୩ ରାଷ୍ଟ୍ର ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧବିରତି କିପରି ହୋଇଥିଲା ତାହା ମଧ୍ୟ କହିଥିଲେ।

ମୋଦି କହିଛନ୍ତି ଯେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ବାରମ୍ବାର ଫୋନ୍‌ କରିଥିଲେ, କିନ୍ତୁ ମୋଦି ଫୋନ ଉଠାଇନଥିଲେ। ପରେ ମୋଦି ପୁଣି କଲ୍ ବ୍ୟାକ କରିଥିଲେ। ସେହି ସମୟରେ ଆମେରିକା ଉପରାଷ୍ଟ୍ରପତି କହିଥିଲେ ଯେ, ପାକିସ୍ତାନ ବଡ଼ ଆକ୍ରମଣ କରିବାକୁ ଯାଉଛି।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ମୋଦି। ଏହି ଯୁଦ୍ଧ ବିରତି କିପରି ହେଲା ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏାହର ଉତ୍ତରେ କହିଛନ୍ତି ଯେ ସେ ଏହା ସ୍ପଷ୍ଟ ଭାବରେ ପାକିସ୍ତାନୀ ସେନାକୁ ଆକ୍ରମଣ ଭୟଙ୍କର ହେବ ବୋଲି କହିଥିଲେ ଏବଂ ସେହି ସମୟରେ ପାକିସ୍ତାନ ଯୁଦ୍ଧବିରତି ପାଇଁ ଆବେଦନ କରିଥିଲା। ପାକିସ୍ତାନର ଡିଜିଏମଓ ଫୋନ୍ କରି ଆବେଦନ କରିଥିଲେ। ଡିଜିଏମଓ କହିଲେ ଯୁଦ୍ଧ ବନ୍ଦ କରନ୍ତୁ। ପାକିସ୍ତାନକୁ ଆଣ୍ଠୁମାଡ଼ି ପଡ଼ିବାକୁ ବାଧ୍ୟ କଲା।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କୌଣସି ଦେଶ ଭାରତକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ବାଧା ଦେଇନାହାଁନ୍ତି। ପହଲଗାମ ଆକ୍ରମଣ ପରେ ପ୍ରଥମ ଦିନରୁ ହିଁ ଆତଙ୍କବାଦୀମାନଙ୍କୁ ନିପାତ କରିବା ଆମର ଲକ୍ଷ୍ୟ ଥିଲା। ଆମର ଟାର୍ଗେଟ ଥିଲା ଆତଙ୍କବାଦ, ଆତଙ୍କବାଦୀ ଆଡ୍ଡା ଏବଂ ଆତଙ୍କବାଦୀଙ୍କ ଟାର୍ଗେଟ। ପାକିସ୍ତାନ ନିର୍ଲଜ୍ଜ ଭାବରେ ଆତଙ୍କବାଦୀଙ୍କ ସହିତ ଛିଡ଼ା ହୋଇଥିଲା। ଆମର କ୍ଷେପଣାସ୍ତ୍ର ପାକିସ୍ତାନର ପ୍ରତ୍ୟେକ କୋଣରେ ଆକ୍ରମଣ କରିଥିଲା।

ଅନ୍ୟପଟେ ମୋଦି ସିଧାସଳଖ କଂଗ୍ରେସକୁ ଟାର୍ଗେଟ୍ କରି କହିଥିଲେ ଯେ, ଯାହା ପାକିସ୍ତାନ କରିବା କଥା ତାହା କଂଗ୍ରେସ କରୁଛି। ମେ ୯ରେ ପ୍ରାୟ ହଜାରେ ମିଜାଇଲ୍‌ ଓ ଡ୍ରୋନ୍ ଫିଙ୍ଗିଲା। ଭାରତର ଏୟାର୍ ଡିଫେନ୍ସ ମଝି ଆକାଶରେ ହିଁ ଶେଷ କରିଦେଲା। କଂଗ୍ରେସ କାଳରେ ସେନାକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରାଗଲାନି। ପ୍ରତିରକ୍ଷା ଚୁକ୍ତି ବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଥମିକତା ଦେଲେ। ପ୍ରତିରକ୍ଷାକୁ ସୁଦୃଢ଼ କରିବାକୁ ଘରୋଇ ଉଦ୍ୟୋଗକୁ ଅନୁମତି ଦେଇଛୁ। ଅପରେସନ୍ ସିନ୍ଦୂରରେ ସ୍ୱଦେଶୀ ଜ୍ଞାନକୌଶଳ ହିଁ ସଫଳତା ଆଣିଛି।

ସ୍ୱାଧୀନତା ପରେ ପ୍ରଥମ କରି ସିଡିଏସ୍‌ ପଦବୀ ସୃଷ୍ଟି କରି ସମନ୍ୱୟ ଆଣିଛୁ। PoK କବ୍‌ଜା କରିବା ସୁଯୋଗ କଂଗ୍ରେସ ହାତଛଡ଼ା କରିଥିଲା ବୋଲି କହିଲେ ମୋଦି। ୧୯୭୧ ଯୁଦ୍ଧରେ ପାକିସ୍ତାନର ୯୩ ହଜାର ଯବାନ ଆତ୍ମସମର୍ପଣ କରିଥିଲେ। ପ୍ରାୟ ୧ ହଜାର କି.ମି ପର୍ଯ୍ୟନ୍ତ ଭାରତୀୟ ସେନା ଭିତରେ ପ୍ରବେଶ କରିଥିଲେ। ଯଦି କଂଗ୍ରେସ ସରକାର ଟିକେ ଚିନ୍ତା କରିଥାନ୍ତା PoK ଭାରତକୁ ଆସିଥାନ୍ତା। ମାତ୍ର ସେତେବେଳେ PoK ନେଇ କିଛି ପ୍ରସ୍ତାବ ରଖି ନଥିଲା ବୋଲି କହିଲେ ମୋଦି।

 

Comments are closed.