ଭୁବନେଶ୍ବର: ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରାରେ ସାମିଲ ହୋଇନାହାନ୍ତି, କି ଏପର୍ଯ୍ୟନ୍ତ ସୁଭଦ୍ରାରେ ଆବେଦନ ବି କରିନାହାନ୍ତି, ସେମାନଙ୍କ ପାଇଁ ବଡ ଖୁସି ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୁଣି ସୁଭଦ୍ରାର ପୋର୍ଟାଲ ଖୋଲିବାକୁ ଯାଉଛି । ଯେଉଁମାନେ ବଞ୍ଚିତ ରହିଛନ୍ତି ସେମାନେଏହାର ଲାଭ ଉଠାଇ ପାରିବେ ।
ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଅଗଷ୍ଟ ୯ରେ ତୃତୀୟ କିସ୍ତି ମିଳିବା ପରେ ପୁଣି ସୁଭଦ୍ରା ପୋର୍ଟାଲ୍ ଖୋଲିବ । ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ପୁଣି ଥରେ ସର୍ଭେ ହେବ । ଯେଉଁମାନଙ୍କୁ ପୂର୍ବରୁ ୨୧ ବର୍ଷ ହୋଇନଥିବା ଯୋଗୁଁ ସେମାନେ ବାଦ୍ ପଡିଥିଲେ, ଏବେ ସେହି ଯୁବତୀ/ମହିଳା ଆବେଦନ କରିପାରିବେ । ଏଥିସହିତ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ଗାଡ଼ି କିଣା ଏବଂ ୫ ଏକର ଜମି ଥିବା ସହ ଆଇଟି ରିଟର୍ଣ୍ଣ କରିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି । ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି । ଏହି ଆଧାରକୁ ନେଇ ପୁଣି ଥରେ ଚୟନ କରାଯିବ ।
ତେବେ କହିରଖୁଛୁ, ଆସନ୍ତା ଅଗଷ୍ଟ ୯ ତାରିଖରେ ମହିଳାଙ୍କୁ ରାକ୍ଷୀପୂର୍ଣ୍ଣିମାର ଉପହାର ସ୍ବରୂପ ସଭୁଦ୍ରାର ତୃତୀୟ କିସ୍ତି ଦେବେ ସରକାର। ସୁଭଦ୍ରା ଯୋଜନା ଅଧୀନରେ ମୋଟ ୧.୨୪ କୋଟି ମହିଳା ହିତାଧିକାରୀ ୫,୦୦୦ ଟଙ୍କାର ତୃତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କୋରାପୁଟର ଜୟପୁରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ତୃତୀୟ କିସ୍ତି ଟଙ୍କା ବଣ୍ଟନ କରିବେ। କୋଟିଆର ପ୍ରତ୍ୟେକ ଘରେ ଏହି ଲାଭ ପହଞ୍ଚିବା ସୁନିଶ୍ଚିତ କରିବାକୁ ସରକାର ସଂକଳ୍ପବଦ୍ଧ। ମୁଁ ବ୍ୟକ୍ତିଗତ ଭାବରେ କୋଟିଆ ଗସ୍ତ କରି ସୁଭଦ୍ରା ଯୋଜନା ପଞ୍ଜୀକରଣ ସମୀକ୍ଷା କରିବି। କୋଟିଆର ସମସ୍ତ ଓଡ଼ିଆଙ୍କୁ ଏଥିରେ ସାମିଲ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜମି ମାଲିକାନା କିମ୍ବା ଆୟକର ଦେବା କାରଣରୁ ଯୋଜନାରୁ ବାଦ ପଡ଼ିଥିବା ୧.୮୮ ଲକ୍ଷ ମହିଳାଙ୍କ ଅଭିଯୋଗ ସମୀକ୍ଷା କରାଯାଉଛି। ସେମାନଙ୍କୁ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତ କରାଯିବ। ଅଗଷ୍ଟ ୯ ପୂର୍ବରୁ ଯୋଗ୍ୟ ବିବେଚିତ ହୋଇଥିବା ଲୋକଙ୍କୁ ପରବର୍ତ୍ତୀ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯିବ। ପରବର୍ତ୍ତୀ କାର୍ଯ୍ୟସୂଚୀରେ ଯେଉଁମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରିବେ ସେମାନେ ଆସନ୍ତା ବର୍ଷ ମାର୍ଚ୍ଚ ୮ ତାରିଖରେ ଏକକାଳୀନ ଟଙ୍କା ପାଇବେ। ସେ ଆହୁରି ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଶୂନ୍ୟ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଏବଂ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ମହିଳାମାନେ ଏହି ଯୋଜନା ଅଧୀନରେ ଯୋଗ୍ୟ।
Comments are closed.