Latest Odisha News

BREAKING NEWS

ବିଜେପି ବିରୋଧରେ ମମତାଙ୍କ ଭାଷା ଅସ୍ତ୍ର !

ନୂଆଦିଲ୍ଲୀ: ଭାଷାକୁ ନେଇ ଦିଦିଙ୍କ ଯୁଦ୍ଧଂ ଦେହୀ ଡାକରା । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦେଶର କିଛି ସ୍ଥାନରେ ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ବିରୋଧରେ ପୋଲିସର ଆକ୍ସନ୍ ମମତାଙ୍କୁ ବଡ଼ ସୁଯୋଗ ଦେଇଛି । ଆଉ ମଉକାରେ ଚଉକା ମାରିବାକୁ ଉଦ୍ୟମ କରୁଛନ୍ତି ଦିଦି । ଭାଷାକୁ ଅସ୍ତ୍ର କରି ବିଜେପିକୁ ଘେରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଏଥିପାଇଁ ପ୍ରବାସୀ ବଙ୍ଗାଳୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଖେଳିଛନ୍ତି ଇମୋସନାଲ୍ କାର୍ଡ । ଆସନ୍ତା ବିଧାନସଭା ନିର୍ବାଚନକୁ ଆଖିରେ ରଖି ମମତା ଭାଷା ଆନ୍ଦୋଳନ ଆରମ୍ଭ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ବିଜେପି ବିରୋଧରେ ମମତାଙ୍କ ଭାଷା ଆନ୍ଦୋଳନ କେତେ କାମ ଦେବ?

ବିଜେପିକୁ ମାତ୍ ଦେବାକୁ ଭାଷା ଅସ୍ତ୍ର !

ପଶ୍ଚିମବଙ୍ଗର ବୋଲପୁରରୁ ଭାଷା ଆନ୍ଦୋଳନର ଆରମ୍ଭ କରିଛନ୍ତି ମମତା ବାନାର୍ଜୀ । ଏଥିରେ ଟିଏମସି ପକ୍ଷରୁ ବଙ୍ଗଳା ଭାଷାକୁ ଗୁରୁତ୍ବ ଦିଆଯାଉଛି । ଆଗକୁ ଅଧିକ ବଙ୍ଗଳା ଭାଷା କହିବେ ବୋଲି ମମତା କହିଥିବା ବେଳେ ସଂସଦର ମୌସୁମୀ ଅଧିବେଶନରେ ଟିଏମସି ନେତା କଲ୍ୟାଣ ବାନାର୍ଜୀ ବଙ୍ଗାଳୀ ଭାଷାରେ ନିଜ ଭାଷଣ ଦେଇ ଅଭିଯାନକୁ ଆଗକୁ ବଢାଇଛନ୍ତି । ବଙ୍ଗାଳୀ ଭାଷାଭାଷୀଙ୍କୁ ଟାର୍ଗେଟ୍ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମମତା । ବିଜେପି ଉପରେ ଭାଷା ଆତଙ୍କବାଦ ଅଭିଯୋଗ ଆଣିବା ସହ ଏହାଦ୍ବାରା ସେମାନଙ୍କ ଅସ୍ତିତ୍ବକୁ ସଂକଟରେ ପକାଇବାକୁ ଷଡ଼ଯନ୍ତ୍ର ହେଉଥିବା କହିଛନ୍ତି ।

ଭାଷା ଅସ୍ତ୍ର…ଟାର୍ଗେଟରେ ବିଜେପି

ବିଶ୍ବରେ ପଞ୍ଚମ ଓ ଏସିଆରେ ଦ୍ବିତୀୟ ସର୍ବାଧିକ କୁହାଯାଉଥିବା ଭାଷା ବଙ୍ଗଳା । ଏହାପରେ ବି ବଙ୍ଗାଳୀଙ୍କୁ ନିର୍ଯାତନା ଦିଆଯାଉଛି। ଅନ୍ୟ ରାଜ୍ୟରୁ ଆସିଥିବା ଦେଢ କୋଟି ପ୍ରବାସୀଙ୍କୁ ଯଦି ପଶ୍ଚିମବଙ୍ଗ ସ୍ବୀକାର କରିଛି ତେବେ ଅନ୍ୟ ରାଜ୍ୟରେ କାମ କରୁଥିବା ୨୨ଲକ୍ଷ ବଙ୍ଗାଳୀଙ୍କୁ କାହିଁକି ସ୍ବୀକାର କରାଯିବନି ବୋଲି ପ୍ରଶ୍ନ କରିଛନ୍ତି ମମତା । କେବଳ ବଙ୍ଗଳା ଭାଷା କହୁଥିବାରୁ ପ୍ରବାସୀଙ୍କୁ ହତ୍ୟା କରାଯିବା ଭଳି ଦେଶର କଳ୍ପନା ସେ କେବେବି କରିପାରିବେନି ବୋଲି ଦିଦି କହିଛନ୍ତି । ସେ କୌଣସି ଭାଷାକୁ ବିରୋଧ କରୁନାହାନ୍ତି । ତେବେ ଯଦି ବଙ୍ଗାଳୀ ଭାଷା ଓ ସଂସ୍କୃତିକୁ ଲିଭାଇବାକୁ ଉଦ୍ୟମ ହେବ, ତେବେ ଶାନ୍ତିପୂର୍ଣ୍ଣ ଭାବେ ଓ ରାଜନୈତିକ ଭାବେ ଏହାର ବିରୋଧ କରାଯିବ ବୋଲି ମମତା କହିଛନ୍ତି ।

ମମତାଙ୍କ ଇମୋସନାଲ କାର୍ଡ

ପ୍ରବାସୀ ବଙ୍ଗାଳୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ ଫେରିଆସିବାକୁ ଇମୋସନାଲ ଅପିଲ୍ କରିଛନ୍ତି ମମତା ବାନାର୍ଜୀ । ହୁଏତ ପଶ୍ଚିମବଙ୍ଗରେ ପିଠା କି ପାଏସ ନଖୁଆଇପାରୁ ହେଲେ ଆମେ ଗୋଟିଏ ରୁଟି ଖାଇଲେ ତୁମକୁ ଗୋଟିଏ ରୁଟି ଦେବୁ ବୋଲି କହିଛନ୍ତି । ରାଜ୍ୟର ଶ୍ରମିକଙ୍କୁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର କିମ୍ବା ରାଜସ୍ଥାନରେ ରହିବା ଆବଶ୍ୟକ ନାହିଁ । ସେମାନେ ପଶ୍ଚିମବଙ୍ଗରେ ଶାନ୍ତିରେ ରହିପାରିବେ । ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ, ସ୍ବାସ୍ଥ୍ୟ କାର୍ଡ ଓ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମମତା । ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ସହ ଶ୍ରମିକଙ୍କ ପିଲାଙ୍କର ସ୍କୁଲରେ ନାମଲେଖାଇବେ । ଏପରିକି କିଛି ସମସ୍ୟା ଥିଲେ ପୋଲିସର ହେଲ୍ପଲାଇନ୍ ନମ୍ବରରେ ଜଣାଇବାକୁ କହିଛନ୍ତି ମମତା । କେବେ ପଶ୍ଚିମବଙ୍ଗ ଫେରିବାକୁ ଚାହୁଁଛନ୍ତି କହିଲେ, ସେମାନଙ୍କୁ ସମ୍ମାନର ସହ ଅଣାଯିବ ବୋଲି ଦିଦି କହିଛନ୍ତି ।

ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ପଶ୍ଚିମବଙ୍ଗ ରାଜନୀତିର ମଞ୍ଚ ପ୍ରସ୍ତୁତ କରି ଦେଇଛନ୍ତି ମମତା।  ପ୍ରବାସୀ ବଙ୍ଗାଳୀଙ୍କ ସମସ୍ୟାକୁ ଭାଷା ସହ ଯୋଡି ଅସ୍ମିତା କାର୍ଡ ଖେଳିଛନ୍ତି । ଇମୋସନାଲ୍ ଅପିଲ କରି ଜନତାଙ୍କ ମନରେ ଜାଗା ବନାଇବାକୁ ଉଦ୍ୟମ କରିଛନ୍ତି । ସେପଟେ ମମତା ସବୁ କଥାରେ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ବିଜେପି ଏହାକୁ କଡ୍ଡା ଟକ୍କର ଦେବ ବୋଲି ଦଳୀୟ ନେତା ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ।

Comments are closed.