ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ବ୍ୟାଟରୁ ଇଂଲଣ୍ଡରେ ଜୋରଦାର ରନ ବର୍ଷା ହେଉଛି। ସେ ସିରିଜରେ ଦୁଇଟି ଶତକ ହାସଲ କରିଛନ୍ତି। ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୬ରେ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି କୋଲକାତା ନାଇଟ ରାଇଡର୍ସ (କେକେଆର) ପାଇଁ ଖେଳିପାରନ୍ତି।
କେକେଆର ରାହୁଲଙ୍କୁ ଟ୍ରେଡ ଜରିଆରେ ଦଳରେ ସାମିଲ କରିବାକୁ ଚାହୁଁଛି। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା। ରାହୁଲ ୧୩ଟି ଇନିଂସରେ ୫୩୯ ରନ ସଂଗ୍ରହ କରିଥିଲେ। କେକେଆର ତାଙ୍କୁ ଏକ ଅଭିଜ୍ଞ ଅଧିନାୟକ ଭାବେ ଚାହୁଁଛି। ଗତ ସିଜନରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ପ୍ଲେ-ଅଫରେ ପହଞ୍ଚି ପାରି ନଥିଲା। ଦଳର ପ୍ରଦର୍ଶନ ମଧ୍ୟ ଖରାପ ଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, କେକେଆର ରାହୁଲଙ୍କ ପାଇଁ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପ୍ରସ୍ତୁତ। ରାହୁଲ କେବଳ ଜଣେ ଭଲ ବ୍ୟାଟସମ୍ୟାନ ନୁହଁନ୍ତି। ସେ ଅଧିନାୟକ ଓ ଉଇକେଟ କିପର ଭାବେ ମଧ୍ୟ ଦକ୍ଷ। ତେଣୁ କେକେଆର ତାଙ୍କ ପାଇଁ ବଡ଼ ରକମ ଖର୍ଚ୍ଚ କରିବାକୁ ରାଜି।
ଆଇପିଏଲ ୨୦୨୫ ନିଲାମ ପୂର୍ବରୁ କେକେଆର ବଡ଼ ଭୁଲ କରିଥିଲା। ଦଳକୁ ତୃତୀୟ ଆଇପିଏଲ ଟାଇଟଲ ଜିତାଇଥିବା ଅଧିନାୟକ ଶ୍ରେୟସ ଆୟାରଙ୍କୁ ରିଟେନ କରି ନଥିଲା। ଫଳରେ ଆୟାର ପଞ୍ଜାବ କିଙ୍ଗ୍ସର ଅଧିନାୟକ ହୋଇଛନ୍ତି। ଏହା କେକେଆର ପାଇଁ ବଡ଼ କ୍ଷତି ହୋଇଥିଲା। ଚଳିତ ସିଜିନରେ ୧୪ ମ୍ୟାଚରୁ ମାତ୍ର ୫ଟି ଜିତିଥିଲା।
ଆଇପିଏଲ ୨୦୨୬ ପୂର୍ବରୁ କେକେଆର ହେଡ କୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ହଟାଇଛି। ଦଳର ବୋଲିଂ ୟୁନିଟକୁ ମଜବୁତ କରିଥିବା ଭରତ ଅରୁଣ ଲକ୍ଷ୍ନୌ ସୁପର ଜାୟାଣ୍ଟସରେ ଯୋଗ ଦେଇଛନ୍ତି। ଏବେ କେକେଆର ରାହୁଲଙ୍କୁ ଦଳରେ ସାମିଲ କରି ଟିମର ସନ୍ତୁଳନ ଆଣିବାକୁ ଚାହୁଁଛି।
ପ୍ରଶ୍ନ ଉଠୁଛି, ଦିଲ୍ଲୀ କ୍ୟାପିଟାଲ୍ସ କେଏଲ ରାହୁଲଙ୍କୁ ରିଲିଜ କରିବ କି? ବର୍ତ୍ତମାନ ପାଇଁ ଏହାର ସମ୍ଭାବନା କମ୍। କେକେଆରର ଏହି ବଡ଼ ପ୍ଲାନ କେମିତି ସଫଳ ହେବ, ତାହା ଏବେ ଚର୍ଚ୍ଚାର ବିଷୟ। ଆଇପିଏଲ ୨୦୨୬ରେ ରାହୁଲଙ୍କୁ କେକେଆର ଜର୍ସିରେ ଦେଖାଯିବ କି, ତାହା ଦେଖିବାର କଥା
Comments are closed.