Latest Odisha News

BREAKING NEWS

ଆମେରିକା ଓ ଋଷ ମଧ୍ୟରେ ଆରମ୍ଭ ହେବ କି ପରମାଣୁ ଯୁଦ୍ଧ?

ନୂଆଦିଲ୍ଲୀ: ତେଜିଲାଣି ଆମେରିକା ଋଷ କଳି । ଆରମ୍ଭ ହେବ କି ପରମାଣୁ ଯୁଦ୍ଧ? ମେଡଭେଡେଭଙ୍କ ବୟାନ ପରେ ଟ୍ରମ୍ପ ମୁତୟନ କଲେ ପରମାଣୁ ବୁଡ଼ାଜାହାଜ । ଋଷ ବି କଲାଣି ପ୍ରସ୍ତୁତି । ଅଗଷ୍ଟ ୧ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତିକୁ ନେଇ ସାରା ଦୁନିଆରେ ହଲଚଲ । ଋଷ ନିକଟରେ ଦୁଇଟି ପରମାଣୁ ବୁଡାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ । ପ୍ରଥମେ ଟାରିଫ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ଋଷକୁ ଡେଡ୍ ଇକୋନୋମି କହି ଟାର୍ଗେଟ୍ କରିଥିଲା । ଜବାବରେ ଡେଡ୍ ହ୍ୟାଣ୍ଡ ଶବ୍ଦର ପ୍ରୟୋଗ କରିଛି ଋଷ । ଫଳରେ ଯେକୌଣସି ମୁହୁର୍ତ୍ତରେ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ନେଇ ଆଶଙ୍କା ଦେଖାଦେଇଛି ।

କାହିଁକି ବୁଡାଜାହାଜ ମୁତୟନ ନିଷ୍ପତ୍ତି?

ଋଷର ପୂର୍ବତନ ରାଷ୍ଟ୍ରପତି ତଥା ସୁରକ୍ଷା ପରିଷଦ ଉପାଧ୍ୟକ୍ଷ ଡିମିଟ୍ରି ମେଡଭେଡେଭଙ୍କ ଉତ୍ତେଜନାପୂର୍ଣ୍ଣ ବୟାନ ପରେ ବୁଡାଜାହାଜ ମୁତୟନ ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଟ୍ରମ୍ପ । ମେଡଭେଡେଭଙ୍କ ବୟାନରେ କୌଣସି ଗମ୍ଭୀର ବିପଦ ଥିଲେ ଆମେରିକା ପ୍ରସ୍ତୁତ ରହିବାକୁ ଏଭଳି ନିଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି । ଆମେରିକା ଯେଉଁ ଦୁଇଟି ବୁଡାଜାହାଜ ପଠାଯାଇଛି, ତାହା ପୂର୍ବରୁ ହିଁ ନିଶାନାରେ ରହିଥିବା ଋଷର ସାଂସଦ ଭୋଡୋଲାତ୍ସକି କହିଛନ୍ତି । ତେଣୁ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଋଷ ଓ ଆମେରିକା ମଧ୍ୟରେ ଗୋଟିଏ ମୌଳିକ ବୁଝାମଣା ହେବା ଆବଶ୍ୟକ ବୋଲି କୁହାଯାଉଛି ।

ଟ୍ରମ୍ପ ଓ ମେଡଭେଡେଭଙ୍କ ମଧ୍ୟରେ ଉତ୍ତେଜନା

ଗତ କିଛି ଦିନ ହେଲା ଟ୍ରମ୍ପ ଓ ମେଡଭେଡେଭଙ୍କ ମଧ୍ୟରେ କଥା କଟାକଟି ଚାଲିଛି । ଅଗଷ୍ଟ ୮ତାରିଖ ସୁଦ୍ଧା ୟୁକ୍ରେନରେ ଯୁଦ୍ଧବିରାମ ନହେଲେ, ଋଷ ଓ ଏହାଠାରୁ ତେଲ କିଣୁଥିବା ଦେଶଙ୍କ ଉପରେ ବଡ ଧରଣର ଟାରିଫ ଲଗାଇବାକୁ ଚେତାବନୀ ଦେଇଥିଲେ । ଏହାର ଜବାବରେ ଋଷ ପାଖରେ ପରମାଣୁ ଆକ୍ରମଣ କ୍ଷମତା ରହିଛି । ଟ୍ରମ୍ପଙ୍କ ପ୍ରତିଟି ନୂଆ ଚେତାବନୀ ଋଷ ଓ ଆମେରିକାକୁ ଯୁଦ୍ଧ ଆଡକୁ ନେଇପାରେ ବୋଲି ମେଡଭେଡେଭ୍ କହିଥିଲେ । ଋଷ ଟ୍ରମ୍ପଙ୍କ ସମୟସୀମା ମାନିବା ଭଳି ଜଣାପଡୁନି। ୟୁକ୍ରେନ୍ ସହ ଶାନ୍ତି ଆଲୋଚନା ପାଇଁ ଆଶା କରନ୍ତି, ତେବେ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ହେବା ଆବଶ୍ୟକ ବୋଲି ପୁଟିନ କହିଥିଲେ । ପୂର୍ବରୁ ମଧ୍ୟ ପୁଟିନ ଶାନ୍ତି ଚର୍ଚ୍ଚା ନେଇ କହିଛନ୍ତି, ତେବେ ତାଙ୍କ ସର୍ତ୍ତ ମଂଜୁର କରିନି ୟୁକ୍ରେନ୍ ।

କେମିତି ଆରମ୍ଭ ହେଲା ବିବାଦ?

ଜୁଲାଇରେ ଋଷକୁ ୟୁକ୍ରେନ ସହ ଯୁଦ୍ଧବିରାମ ପାଇଁ ୫୦ଦିନ ସମୟ ଦେଇଥିଲେ ଟ୍ରମ୍ପ। ତେବେ ଋଷ କୌଣସି ପଦକ୍ଷେପ ନନେବାରୁ ସେ ସମୟସୀମା କମାଇ ୧୦ଦିନ କରି ଦେଇଥିଲେ । ନିର୍ବାଚନ ବେଳେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ତେବେ ଋଷର ଲଗାତର ଆକ୍ରମଣ ଓ ପୁଟିନଙ୍କ ଅନାଗ୍ରହ ଯୋଗୁଁ ଟ୍ରମ୍ପ ଖପ୍ପା ହୋଇଛନ୍ତି । ଏହାମଧ୍ୟରେ ପରମାଣୁ ହତିଆର ସଂପର୍କରେ କହି ଉତ୍ତେଜନା ବଢାଇଛନ୍ତି ମେଡଭେଡେଭ୍ । ତେବେ ପ୍ରଶ୍ନ ଉଠୁଛି, ଦୁଇ ଦେଶ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଆଶଙ୍କା ରହିଛି କି? ତେବେ ଏହାକୁ କେବଳ ଶବ୍ଦର ଯୁଦ୍ଧ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ । ଋଷ ଉପରେ ଆକ୍ରମଣ କରିବାକୁ ପୂର୍ବରୁ ହିଁ ଆମେରିକାର ପରମାଣୁ ବୁଡାଜାହାଜ ମୁତୟନ ହୋଇରହିଛି । ଏଭଳି ସ୍ଥିତିରେ ଋଷକୁ ଡରାଇବାକୁ ଟ୍ରମ୍ପ ବୟାନ ଦେଇଥିବା କୁହାଯାଉଛି । ତେଣୁ ପରମାଣୁ ଯୁଦ୍ଧ ଆରମ୍ଭ ହେବା ଆଶଙ୍କା କମ୍ । ତେବେ ଆମେରିକା ଓ ଋଷ ପାଖରେ ସର୍ବାଧିକ ପରମାଣୁ ହତିଆର ଥିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ଦୁନିଆ ପାଇଁ ଚିନ୍ତାର କାରଣ ହୋଇଛି । ଭାରତ ଉପରେ ଏହାର ପ୍ରଭାବ ପଡିପାରେ । କାରଣ ଋଷଠାରୁ ତେଲ ଓ ହତିଆର କିଣୁଛି ଦେଶ । ଭାରତ ଭଳି ଋଷଠାରୁ ତେଲ କିଣୁଥିବା ଦେଶଙ୍କ ଉପରେ ଟ୍ରମ୍ପ ବଡ଼ ଟାରିଫ ଲଗାଇବାକୁ କହିଛନ୍ତି । ଏଭଳି ହେଲେ ଭାରତର ଅର୍ଥବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପଡିପାରେ ।

Comments are closed.