ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଏକ ମହାନ ଶିକ୍ଷା ଆମେ ଜାଣିଲେ ଯେ “ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି”। ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଏକ କାରଣ ଲୁଚି ରହିଥାଏ। କେହି କେହି ତାକୁ ଅକସ୍ମାତ ଓ କେହି କେହି ତାହା ଵିଧି ନିର୍ଦ୍ଧେଶତ ବୋଲି ଆଖ୍ୟା ଦେଇଥାନ୍ତି। ଜ୍ଞାନୀ ମାନେ ଏହି କାରଣକୁ ବୁଝିବାକୁ ଚେଷ୍ଟା କରନ୍ତି ଓ ଅଜ୍ଞାନୀ ମାନେ କିଛି ନବୁଝି କେବଳ ସେ କର୍ମରେ ଲିପ୍ତ ହୋଇଥାନ୍ତି।
ସଂସାରରେ ପାପ ପୁଣ୍ୟ ଦୁଃଖ ସୁଖ ମଧ୍ୟ ଉପଯୁକ୍ତ ଅବସରରେ ଓ କୌଣସି ନା କୌଣସି କାରଣ ଯୋଗୁ ଉତ୍ପନ ହୁଅନ୍ତି, ଯଦି ମଣିଷ ଏହି କାରଣଟିକୁ ଜାଣିପାରନ୍ତା ମନରୁ ଶଙ୍କା ଦୁରେଇ ଦେଇ ନିଜ କର୍ମକୁ ଶୃଙ୍ଖଳିତ କରିପାରନ୍ତା, କିନ୍ତୁ ତାହା ଅନେକ ଭାବରେ ସମ୍ଭବ ହୁଏନି ସେଥିପାଇଁ ଆମେ ପ୍ରତ୍ୟେକ ଅବସରରେ ଈଶ୍ୱରଙ୍କ ଇଚ୍ଛାର ଦ୍ୱାହି ଦେଇଥାଉ ଓ ଏହାହିଁ ଚିର ସତ୍ୟ ବୋଲି ଭାଗବତ ପ୍ରମାଣ ଦେଇଛି। ଏଵେ ଭାଗବତର ସୃଷ୍ଟି କର୍ତ୍ତା ଭଗବାନ ବ୍ୟାସଙ୍କ ଜନ୍ମ ବୃତ୍ତାନ୍ତ ଜାଣିଲେ ଆମର ଭ୍ରମ ଦୂର ହେବ।
ଏହି ସୃଷ୍ଟି ପରଂବ୍ରହ୍ମଙ୍କ ସଂକଳ୍ପରୁ ଜାତ ହୋଇଛି, ସେହି ସଂକଳ୍ପର ସ୍ଥୁଳ ରୁପକୁ “କାମ” ବୋଲି ଅଭିହିତ କାରାଯାଏ। ସୃଷ୍ଟି ଆରମ୍ଭରେ କିନ୍ତୁ ସେହି କାମର ମୂଳ ସୂତ୍ର ମୈଥୁନ ବିନା ସୃଷ୍ଟି ପ୍ରକ୍ରିୟା ଅବ୍ୟାହତ ରହିଲା କିନ୍ତୁ ପରେ ପରମପୁରୁଷ ଉଭୟ ପୁରୁଷ ଓ ପ୍ରକୃତି ସ୍ୱରୂପ ଜାତ କରାଇ ତାଙ୍କ ମନରେ କାମର ସଂକଳ୍ପ ଜଗାଇଲେ, ତାହାହିଁ ପ୍ରକୃତ ସୃଷ୍ଟି ତତ୍ୱର ପ୍ରକ୍ରିୟା ଥିଲା। ଲୀଳାଧାରୀ ମାୟାପତିଙ୍କ ଏହାହିଁ ସୃଷ୍ଟି ରଚନାର ପ୍ରକୃତ କାରଣ ହେଲା। ଏଵେ ଆସିବା ମୂଳ ପ୍ରସଙ୍ଗ ଭଗବାନ ବ୍ୟାସଙ୍କ ଜନ୍ମ ବୃତ୍ତାନ୍ତକୁ, ଦ୍ୱାପର ଯୁଗର କଥା ଜଣେ ଅତ୍ୟନ୍ତ ଧର୍ମାତ୍ମା, ପରାକ୍ରମୀ, ସତ୍ୟନିଷ୍ଠ ଓ ପିତୃ ମାତୃ ପୂଜକ” ରାଜା ବସୁ “ଥିଲେ, ଯାହାଙ୍କର ରାଣୀ ମଧ୍ୟ ଅତ୍ୟନ୍ତ ପତିବ୍ରତା, ଜ୍ଞାନୀ ଓ ଯଶସ୍ୱିନୀ ମହିଳା ଥିଲେ। ତାଙ୍କ ମନରେ ସନ୍ତାନ କାମନା ଉତ୍ପନ ହେବାରୁ ସେ ପତିଦେବଙ୍କୁ ଏକଥା ଜଣାଇ ଅଙ୍ଗ ସଙ୍ଗର ଇଚ୍ଛା ପ୍ରକଟ କଲେ, କିନ୍ତୁ ସେହି ସମୟରେ ନିଜ ପିତୃକାର୍ଯ୍ୟ ସମ୍ପାଦନ ପାଇଁ ରାଜା ବନକୁ ଚାଲିଗଲେ।
ବନ ମଧ୍ୟରେ ବିଶ୍ରାମ ନେବା ସମୟରେ ତାଙ୍କର ରାଣୀଙ୍କ କଥା ମନେ ପଡି ଅଙ୍ଗ ସଙ୍ଗର ପ୍ରବଳ ଇଚ୍ଛା ଜାତ ହେଲା ଓ ସଙ୍ଗେ ସଙ୍ଗେ ଶରୀରରୁ ଦୀପ୍ତିବାନ ବୀର୍ଯ୍ୟ ସ୍କଳନ ହେଲା, ସଂଯୋଗ ବଶତଃ ହେଉ ଅବା ଈଶ୍ୱରଙ୍କ ଇଚ୍ଛା ହେଉ ଏହି ଶକ୍ତିଶାଳୀ ବୀର୍ଯ୍ୟ ଯମୁନା ନଦୀରେ ପତିତ ହେଲା ଓ ଏକ ମତ୍ସ୍ୟ ଏହାକୁ ଗିଳି ଦେଲା, ସେହି ମତ୍ସ୍ୟ ଗର୍ଭରୁ ଜାତ ହେଲା ଏକ ଅପୂର୍ବ ସୁନ୍ଦରୀ କନ୍ୟା ଓ ଜଣେ ଧୀବରଙ୍କ ଦ୍ୱାରା ପ୍ରତିପାଳିତ ହୋଇ ସଂସାରରେ ନାମ ବହିଲା ସତ୍ୟବତୀ ସବୁ ସେହି ଇଚ୍ଛାମୟଙ୍କ ଇଚ୍ଛା ତେଣୁ ସତ୍ୟବତୀଙ୍କ ରୂପ, ଗୁଣ, ସ୍ଵଭାବ ଓ ଚରିତ୍ର ଦେଖି ସମସ୍ତେ ଆଚମ୍ବିତ ହେଉଥିଲେ ଓ ତାଙ୍କୁ ଦେବଲୋକର କନ୍ୟା ବୋଲି ବିଚାର କରୁଥିଲେ।
ଯେହେତୁ ଧୀବର ପିତାଙ୍କ ଦ୍ୱାରା ପ୍ରତିପାଳିତ ହେଲେ, ସତ୍ୟବତୀ ନୌକା ଚାଳନା ଶିଖିଗଲେ, ସନ୍ତରଣ ରେ ମଧ୍ୟ ପାରଦର୍ଶିତା ଦେଖାଇଲେ ପବିତ୍ର ଯମୁନା ନଦୀ ତାଙ୍କ ସହଚରି ପାଲଟିଗଲେ କ୍ରମେ ଯୌବନ ଆସିଲା, ଆହୁରି ସୁନ୍ଦର ଓ ଚଞ୍ଚଳ ହୋଇ ଉଠିଲେ ସତ୍ୟବତୀ, ପୁଣି ଏକ ମହାନ କାର୍ଯ୍ୟ ସାଧନର ପରମ କାରଣ ସାଜି ମହର୍ଷି ପରାଶର ଆସି ପହଁଚିଲେ ଯମୁନା ନଦୀ କୂଳରେ। ତେଵେ ସେ ମହାନ କାରଣଟି କଣ ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତର ଅମୂଲ୍ୟ ପଦ
ଗଗନ ସମିରଣ ଜ୍ୟୋତି।
ଯେ ଅବା ସଲିଳ ଧରିତ୍ରୀ।।
ନଦୀ ସାଗର ତରୁ ଗଣ।
ପର୍ବତ ସ୍ଥାବର ଜଙ୍ଗମ।।
ଜନ୍ତୁ ଙ୍କ ବାହ୍ୟ ଅଭ୍ୟନ୍ତର।
ଏ ସର୍ବ କୃଷ୍ଣ ଙ୍କ ଶରୀର।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.