Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୧: ପରମାତ୍ମା ଶ୍ରୀକୃଷ୍ଣ ହିଁ ପୂର୍ଣ୍ଣବ୍ରହ୍ମ, ଯାହାଙ୍କ ଜନ୍ମ ନାହିଁ କି ବିଲୟ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାର ଗୋଟିଏ ବଡ଼ ଶ୍ରେୟ ଦେବର୍ଷି ନାରଦଙ୍କୁ ଯାଏ। ଏହାର ମୁଖ୍ୟ କାରଣ ହେଲା ବ୍ୟାସଙ୍କୁ ଶ୍ରୀମଦ ଭାଗବତ ରଚନା କରିବାର ପ୍ରେରଣା ଦେବର୍ଷି ନାରଦ ହିଁ ଦେଇଥିଲେ। ଏହା ସଂଘଟିତ ହୋଇଥିଲା ପୁଣ୍ୟତୋୟା ସରସ୍ବତୀ ନଦୀ କୂଳରେ ଅବସ୍ଥିତ ନର ପର୍ବତ ପାର୍ଶ୍ୱରେ। ଏହିଠାରେ ହିଁ ଶ୍ରୀନାରଦ ଭଗବାନ ବ୍ୟାସଙ୍କ ସହିତ ଏକ ବିସ୍ତୃତ ଆଲୋଚନା କରିଥିଲେ। କାରଣ ବେଦର ସଂସ୍କାର ଓ ବିଭାଗୀ କରଣ, ଅଷ୍ଟାଦଶ ପୁରାଣ ରଚନା ତଥା ମହାଭାରତ ରଚନା କରି ମଧ୍ୟ ଶ୍ରୀବ୍ୟାସଦେବଙ୍କ ମନରେ ଶାନ୍ତି ବା ପରିପୂର୍ଣ୍ଣତା ଆସିନଥିଲା।

ତେଣୁ ତାଙ୍କର ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ନାରଦ କହିଲେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ପୂର୍ଣ୍ଣ ଗ୍ରନ୍ଥ ରଚନା ପାଇଁ, ଏହି ପ୍ରସ୍ତାବକୁ ବ୍ୟାସଦେବ ସାଦରେ ଗ୍ରହଣ କଲେ, କିନ୍ତୁ ପଚାରିଲେ ମୁଁ ତ ସବୁ ରଚନାରେ ଭଗବାନଙ୍କ ଲୀଳା ହିଁ ବର୍ଣନା କରିଛି ତେବେ ପୂର୍ଣ୍ଣତାର ଅନୁଭବ କାହିଁକି ହେଉନାହିଁ। ନାରଦ କହିଲେ ମୁଁ ଏହାକୁ ସ୍ୱୀକାର କରୁଛି କିନ୍ତୁ ପୂର୍ଣ୍ଣ ବ୍ରହ୍ମଙ୍କ ଲୀଳା ବର୍ଣନା ବାକି ଅଛି। ପରମାତ୍ମା ଶ୍ରୀକୃଷ୍ଣ ହିଁ ପୂର୍ଣ୍ଣବ୍ରହ୍ମ, ଏଣୁ ତାଙ୍କ ଲୀଳା ବର୍ଣନା ବ୍ୟତିତ ପୂର୍ଣ୍ଣତାର ଅନୁଭବ କିପରି ହେବ। ଜଗତ କଲ୍ୟାଣ ପାଇଁ ତୁମେ ଶ୍ରୀକୃଷ୍ଣ ଲୀଳା ଅମୃତ ବଣ୍ଟନ କର, ମନ ଆପେ ଆପେ ଶାନ୍ତ ହୋଇଯିବ। ତୁମର ସମସ୍ତ ରଚନା ଜ୍ଞାନୀ ଓ ବୁଦ୍ଧିମାନ ମଣିଷଙ୍କ ପାଇଁ ଉଦିଷ୍ଟ, କିନ୍ତୁ ସଂସାରର ସାଧାରଣ ମଣିଷ ପାଇଁ ସରଳ ଓ ଅମୀୟ ଲୀଳାମୃତ କାହିଁ।

ଆପଣ କେବଳ ପରମାତ୍ମା ଶ୍ରୀକୃଷ୍ଣଙ୍କ ସମସ୍ତ ଲୀଳା ବର୍ଣନା କରନ୍ତୁ। ସେହି ସରସ୍ବତୀ ନଦୀ କୂଳରେ ଦେବର୍ଷି ନାରଦ ଓ ଭଗବାନ ବ୍ୟାସଙ୍କ ମଧ୍ୟରେ ଅନେକ ତାତ୍ୱିକ ଆଲୋଚନା ହୋଇଥିଲା। ବ୍ୟାସ ଦେବ ଏଠାରେ ନାରଦଙ୍କୁ ଅନେକ ପ୍ରଶ୍ନ କରିଥିଲେ। ନିଜ ଶଙ୍କା ଦୂର କରିବା ପାଇଁ, ତା ସହିତ କିଛି ଲୋକ କଲ୍ୟାଣ ତତ୍ୱ ମଧ୍ୟ ଚର୍ଚ୍ଚା କରିଥିଲେ। ଏଇ ଯେମିତି ମଣିଷର ପ୍ରଧାନ କର୍ତ୍ତବ୍ୟ କଣ, ମଣିଷ କିପରି ଭବ ବନ୍ଧନରୁ ମୁକ୍ତ ହୋଇପାରିବ, ଜଗତର ଚିରନ୍ତନ ସତ୍ୟ କଣ, ଭଗବତ ଭକ୍ତିର ମୂଳ ସ୍ୱରୂପ କଣ। ଅବଶ୍ୟ ନାରଦ ପ୍ରତ୍ୟେକ ଜିଜ୍ଞାସାର ନିରାକାରଣ ପାଇଁ ଅତି ଗୂଢ଼ ତତ୍ୱ ସମ୍ବଳିତ ବ୍ୟାଖ୍ୟା ଦେଇଥିଲେ, ତଥାପି କହିଥିଲେ ହେ ବ୍ୟାସଦେବ ଆପଣ ସ୍ୱୟଂ ପରମେଶ୍ୱରଙ୍କ ଅଂଶାବତାର। ଆପଣକୁ ସବୁ କିଛି ନିଶ୍ଚୟ ଜ୍ଞାତ ଅଛି, ତଥାପି ମୋତେ ସମ୍ମାନ ଦେବା ପାଇଁ ଏସବୁ ପ୍ରଶ୍ନ ଉତ୍ତାପନ କରିଛ।

ତେବେ କହୁଛି ଶୁଣ ସଂସାରୀ ବ୍ୟକ୍ତି ମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ସର୍ବଦା ଚେଷ୍ଟିତ। ଧନ ଅର୍ଜନ ଓ ତାର ସଠିକ ଉପଯୋଗ ପାଇଁ ତାଙ୍କ ଚେଷ୍ଟା ତାଙ୍କୁ ନିଜର ପ୍ରକୃତ କର୍ତବ୍ୟରୁ ଦୂରରେ ରଖେ, ତାହା ହେଉଛି ଧର୍ମ ରକ୍ଷା ଓ ଭଗବତ ଚିନ୍ତନ। ମୁଁ କହୁନାହିଁ ମଣିଷ ସବୁ କର୍ମ ତ୍ୟାଗ କରି ଅକର୍ମଣ୍ୟ ହୋଇ ଯାଉ କିନ୍ତୁ ନିଜ କର୍ମକୁ କରିବା ସହିତ କିଛି ଏମିତି କର୍ମ ମଧ୍ୟ କରୁ ଯାହା ତାକୁ ଧର୍ମ ଅର୍ଜନରେ ସାହାଯ୍ୟ କରିବ। କାରଣ ଏହି ଧର୍ମ ହିଁ ତାର ପାରବ୍ଧ ଭାବରେ କାମ ଆସିବ।

ଦ୍ଵିତୀୟ କଥା ହେଲା ଭଗବତ ଭକ୍ତି ଏହାର ମୂଳ ତତ୍ୱ ହେଲା ପରମେଶ୍ୱରଙ୍କୁ ଐକାନ୍ତିକ ଭକ୍ତି କରିବା, ସର୍ବଦା ତାଙ୍କର ଚିନ୍ତନ କରିବା, ତାଙ୍କ ଲୀଳା ଶ୍ରବଣ ଓ କୀର୍ତନ କରିବା। ସେଥିପାଇଁ ତ ମୁଁ ଆପଣକୁ ଶ୍ରୀକୃଷ୍ଣଙ୍କ ଲୀଳାମୃତ ରଚନା କରିବାକୁ କହୁଛି। ପରମାତ୍ମାଙ୍କ ବିନା ଏ ଜଗତର ଚିରନ୍ତନ ସତ୍ୟ ଆଉ କଣ ସେଥିପାଇଁ କୁହାଯାଏ ପରମାତ୍ମାଙ୍କ ଇଚ୍ଛାରୁ ସୄଷ୍ଟ ଏ ଜଗତ ସମ୍ପୂର୍ଣ ମିଥ୍ୟା। କାରଣ ଏହାର ଜନ୍ମ ଯେପରି ଅଛି ବିଲୟ ମଧ୍ୟ ସେପରି ଅଛି। ଆଉ ସବୁ କାରଣର କାରଣ ହେଉଛନ୍ତି ପରମାତ୍ମା ଯାହାଙ୍କ ଜନ୍ମ ନାହିଁ କି ବିଲୟ ନାହିଁ। ନାରଦଙ୍କ ଉତ୍ତରରେ ବ୍ୟାସଦେବ ଅତ୍ୟନ୍ତ ପ୍ରୀତ ହେଲେ ଓ ଶ୍ରୀକୃଷ୍ଣଙ୍କ ଲୀଳା ରଚନା ପାଇଁ ଉଦ୍ୟତ ହେଲେ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-120-in-the-dwapar-yuga-vishnus-companion-vyasa-was-captured-by-the-sage-parashara-and-the-womb-of-satyavati/

ତଥାପି ପ୍ରଶ୍ନ କଲେ, ହେ ମହାଭାଗ ମୁଁ କଣ ଏହି ଈଶ୍ୱରୀୟ ଲୀଳାକୁ ସଠିକ ବର୍ଣନା କରି ପାରିବି, ଦୟାକରି ମୋତେ କିଛି ଉପଦେଶ ଦିଅନ୍ତୁ। ଦେବର୍ଷି ନାରଦ କଣ ଉପଦେଶ ଦେଲେ ଜାଣିବା ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତରୁ କେଇ ପଦ ପଢିବା
ଯାବତ ଅଛି ମୋହ ପାଶ।
ତାବତ ପିଣ୍ଡ ହୁଏ ନାଶ।।
ଯାବତ ଗୋବିନ୍ଦ ଚରଣ।
ଏ ଜୀବ ନପଶେ ଶରଣ।।
ତାବତ ଆତ୍ମା ନୋହେ ସୁଖୀ।
ନିରତେ ତାପ ତ୍ରୟେ ଦୁଃଖୀ।।

ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ)

 

Comments are closed.