ନୂଆଦିଲ୍ଲୀ: ବର୍ତ୍ତମାନ୍ ସମୟରେ ଆମେ ଯାହାବି ଇଲେକଟ୍ରୋନିକ୍ସ ଜିନିଷ କିଣିବାକୁ ଗଲେ ପ୍ରଥମେ ସେହି ଜିନିଷଟି କେଉଁ ଷ୍ଟାର ଅନ୍ତର୍ଭୁକ୍ତ ତାହା ଦେଖିଥାଉ। ସେହିପରି ୨୦୨୬ ମସିହାରୁ ଗ୍ୟାସ ଚୁଲାରେ ମଧ୍ୟ ଷ୍ଟାର ରେଟିଙ୍ଗ ରହିବ।
ତେବେ ଜାନୁଆରୀ ୧, ୨୦୨୬ ଠାରୁ ଗ୍ୟାସ ଚୁଲା ପାଇଁ ମଧ୍ୟ ଷ୍ଟାର ରେଟିଂ ନିର୍ଣ୍ଣୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।
ଶକ୍ତି ସଂରକ୍ଷଣ ଆଇନ ୨୦୦୧ ଅନୁଯାୟୀ କେନ୍ଦ୍ର ସରକାର ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ଓ ଗ୍ୟାସ ଚୁଲାର ଶକ୍ତି ଦକ୍ଷତା ମାନକକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ୟାସ ଚୁଲାରେ ମଧ୍ୟ ଶକ୍ତି ଦକ୍ଷତା ଦେଖାଇବା ସହ ଏହାର ବ୍ୟବହାର ମାନଦଣ୍ଡ ବିଷୟରେ ସୂଚନା ଚୁଲାରେ ରହିବା ଉଚିତ୍ ବୋଲି ସରକାର କହିଛନ୍ତି। ତେବେ ଆମଦାନୀ ହେଉ କିମ୍ବା ଭାରତରେ ନିର୍ମିତ ସମସ୍ତ ଏଲପିଜି ଚୁଲାକୁ ଆଇଏସଆଇ ୪୨୪୬ ର ତାପଜ ଦକ୍ଷତା ମାନଦଣ୍ଡ ପାଳନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।
ସମସ୍ତ ଏଲପିଜି ଚୁଲାର ଷ୍ଟାର ରେଟିଂ ଚିହ୍ନ ରହିବା ସହ ଅଲଗା ଚୁଲା ମଡେଲ ପାଇଁ ମଧ୍ୟ ଅଲଗା ରେଟିଂ ରହିବ। ଏହି ରେଟିଂ ଦେଖି ଲୋକମାନେ କେଉଁ ଚୁଲା ନେବେ ତାହା ନିଷ୍ପତ୍ତି କରିବେ ଓ ଏହି ରେଟିଂ ଦୁଇ ବର୍ଷ ପାଇଁ ଅର୍ଥାତ୍ ୧ ଜାନୁଆରୀ ୨୦୨୬ରୁ ୩୧ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ରହିବ। ତେବେ ପରେ ଏହାକୁ ବୃଦ୍ଧି କରାଯାଇପାରିବ।
ନୂତନ ଲେବଲିଂ ଅନୁଯାୟୀ ଏଲପିଜି ଚୁଲାର ତାପମାତ୍ରା ଓ ଦକ୍ଷତା ଦେଖିବା ପରେ ଏହାକୁ ୧ରୁ ୫ ଷ୍ଟାର ମଧ୍ୟରେ ପର୍ଯ୍ୟନ୍ତ ରେଟିଂ କରାଯିବ। ୧ ଷ୍ଟାର ଚୁଲାର ଦକ୍ଷତା ≥୬୮% ରୁ < ୭୦% ଓ ୨ ଷ୍ଟାର ପାଇଁ ≥୭୦% ରୁ < ୭୨% ଓ ୩ ଷ୍ଟାର ପାଇଁ ≥୭୨% ରୁ < ୭୪,% ରହିବ। ଏଥିସହିତ ୪ ଷ୍ଟାର ପାଇଁ ≥୭୪% ରୁ < ୭୬% ଏବଂ ୫ ଷ୍ଟାର ପାଇଁ ≥୭୬%। ଏହି ସମସ୍ତ ରେଟିଂ ଦେଖି ଆପଣ ସେହି ଚୁଲିର ଶକ୍ତି ବ୍ୟବହାର ବିଷୟରେ ଜାଣିପାରିବେ।
Comments are closed.