ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଥାନା। ଶୁକ୍ରବାର ଏକ ରହସ୍ୟମୟ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ପଣ୍ଡାକୁଡ଼ିଆ ଅଞ୍ଚଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଭାରତପୁର ପୁଲିସ ଉପରେ ଗୁରୁତର ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ପରିଚୟ ଯାଜପୁର ଜିଲ୍ଲାର ଶିବ ପ୍ରସାଦ ବାରିକ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶିବଙ୍କ ମୃତଦେହ ଭରତପୁର ଥାନା ଅଞ୍ଚଳର ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ପୁଲିସ ଉପରେ ଅଭିଯୋଗ କରିଛନ୍ତି ଯେ ଏହାକୁ ଆତ୍ମହତ୍ୟା ବୋଲି ପ୍ରମାଣ କରିବାକୁ ଚେଷ୍ଟା କରାଯାଉଛି।
ଏକ ଗୁରୁତର ଅଭିଯୋଗରେ ଭରତପୁର ଥାନାର ସବ୍-ଇନ୍ସପେକ୍ଟର ବୈକୁଣ୍ଠନାଥ ବେହେରାଙ୍କ ନାଁ ସାମ୍ନାକୁ ଆସିଛି। ନିୟମ ଅନୁଯାୟୀ, ଆତ୍ମହତ୍ୟା ହେଲେ ବି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାକ୍ଷୀ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିବ। ଏହା ପରେ ପୋଷ୍ଟମର୍ଟମ ହେବ। କିନ୍ତୁ ଏହି ମାମଲାରେ କୌଣସି ନିୟମ ପାଳନ ହୋଇନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ମୃତକଙ୍କ ମାମୁଁ ଅଭିଯୋଗ କରିଛନ୍ତି, “ସବ୍-ଇନ୍ସପେକ୍ଟର ବୈକୁଣ୍ଠନାଥ ବେହେରା ଜଲଦି ପୋଷ୍ଟମର୍ଟମ କରିବାକୁ ଚାପ ଦେଉଥିଲେ। ମୁଁ କହିଲି, ପରିବାରର କେହି ନାହାନ୍ତି। ତଥାପି ସେ ଜିଦ୍ କରୁଥିଲେ। ଲାଞ୍ଚ ନେଇଛନ୍ତି କିମ୍ବା କାହା ଚାପରେ ଅଛନ୍ତି ବୋଲି ମନେହୁଏ।” ଏହି ଘଟଣା ସମ୍ପର୍କରେ ବୈକୁଣ୍ଠନାଥ ବେହେରା କହିଛନ୍ତି, “ମୋ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ। ମୁଁ ଏଫଆଇଆର ଗ୍ରହଣ କରିବି।” ମୃତଦେହ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
Comments are closed.