Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ଜୋର ଧରିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଛନ୍ତି।

ହାଇଦ୍ରାବାଦର ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC)ର ନିର୍ଦ୍ଦେଶକୁ ନିନ୍ଦା କରିଛନ୍ତି। GHMC ସ୍ୱାଧୀନତା ଦିବସ (୧୫ ଅଗଷ୍ଟ) ଓ ଜନ୍ମାଷ୍ଟମୀ (୧୬ ଅଗଷ୍ଟ) ଦିନ ମାଂସ ଦୋକାନ ଓ କଂସେଇଖାନା ବନ୍ଦ ରଖିବାକୁ କହିଛି। ଓୱେସୀ କହିଛନ୍ତି, “ଏହା ଅସାମ୍ବିଧାନିକ ଓ ଲୋକଙ୍କ ସ୍ୱାଧୀନତା, ଗୋପନୀୟତା, ଜୀବିକା, ସଂସ୍କୃତି, ପୁଷ୍ଟିକର ଖାଦ୍ୟ ଓ ଧର୍ମ ଉପରେ ଆକ୍ରମଣ। ସ୍ୱାଧୀନତା ଦିବସରେ ମାଂସ ଖାଇବା ସହ କ’ଣ ସମ୍ପର୍କ?” ସେ ଆହୁରି କହିଛନ୍ତି, ତେଲେଙ୍ଗାନାର ୯୯% ଲୋକ ମାଂସ ଖାଆନ୍ତି।

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରରେ ମଧ୍ୟ ସମାନ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିରୋଧ କରିଛନ୍ତି। ସେ କହିଛନ୍ତି, “ଏପରି ବାରଣ ଭୁଲ। ବଡ଼ ସହରମାନଙ୍କରେ ବିଭିନ୍ନ ଜାତି ଓ ଧର୍ମର ଲୋକ ରହୁଛନ୍ତି। ଭାବନାତ୍ମକ ବିଷୟ ହେଲେ ଲୋକେ ଏକ ଦିନ ପାଇଁ ବାରଣ ମାନି ନିଅନ୍ତି। କିନ୍ତୁ ମହାରାଷ୍ଟ୍ର ଦିବସ, ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସରେ ଏପରି ନିର୍ଦ୍ଦେଶ ଦେବା କଷ୍ଟକର।”

ମୁମ୍ବାଇ ନିକଟସ୍ଥ ଥାନେର କଲ୍ୟାଣ ଡୋମ୍ବିଭଳି ମ୍ୟୁନିସିପାଲ କର୍ପୋରେସନ ମଧ୍ୟ ଏକ ସମାନ ନିର୍ଦ୍ଦେଶ ଜାରି କରିଛି। ଶିବସେନା (UBT) ନେତା ଆଦିତ୍ୟ ଠାକରେ ଏହାକୁ ବିରୋଧ କରି ମ୍ୟୁନିସିପାଲ କମିଶନରଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ସ୍ୱାଧୀନତା ଦିବସରେ ଆମେ କ’ଣ ଖାଇବୁ, ତାହା ଆମର ଅଧିକାର। କେହି ଆମକୁ କ’ଣ ଖାଇବାକୁ କହିପାରିବେ ନାହିଁ। ଆମ ଘରେ ନବରାତ୍ରୀରେ ମଧ୍ୟ ଚିଙ୍ଗୁଡ଼ି ଓ ମାଛ ପ୍ରସାଦ ଭାବେ ଦିଆଯାଏ। ଏହା ଆମର ପରମ୍ପରା, ଆମର ହିନ୍ଦୁତ୍ବ। ଆପଣମାନେ ଆମ ଘରେ କାହିଁକି ପଶୁଛନ୍ତି? ମ୍ୟୁନିସିପାଲ କର୍ପୋରେସନ ରାସ୍ତାରେ ଖାଲ ଢିପ ଓ ଅନ୍ୟ ସମସ୍ୟା ଦେଖିବା ଉଚିତ।”

ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାର ମୁଖପାତ୍ର ଅରୁଣ ସାୱନ୍ତ କହିଛନ୍ତି, ମହାରାଷ୍ଟ୍ରର ବିଜେପି-ଶିବସେନା-ଏନସିପି ସରକାର ଏପରି କୌଣସି ମାଂସ ବାରଣ ନିର୍ଦ୍ଦେଶକୁ ଅନୁମୋଦନ କରିନାହିଁ। ସେ ବିରୋଧୀ ଦଳମାନଙ୍କୁ ମିଛ ଅଭିଯୋଗ ଲଗାଇ ସରକାରଙ୍କୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି।

Comments are closed.