Latest Odisha News

BREAKING NEWS

ରାଜ୍ୟରେ ନିଯୁକ୍ତ ହେବେ ୧୮୪୦ ଡାକ୍ତର, ୫ ହଜାରରୁ ଊର୍ଦ୍ଧ୍ବ ପାରାମେଡିକାଲ୍‌ ଷ୍ଟାଫ୍‌

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ୧୮୪୦ ଜଣ ଡାକ୍ତର ଏବଂ ୫୦୦୦ରୁ ଅଧିକ ପାରାମେଡିକାଲ୍ କର୍ମଚାରୀଙ୍କୁ ଶୀଘ୍ର ନିଯୁକ୍ତି ଦେବା ସମ୍ପର୍କରେ ସୋମବାର ଦିନ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଏକ ସମୀକ୍ଷା ବୈଠକରେ ଏନେଇ ଘୋଷଣା ହୋଇଛି। ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସାରା ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ପୂରଣ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ସେହିପରି ବୈଠକରେ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ବୈଷୟିକ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ କର୍ମଚାରୀଙ୍କ ନିଯୁକ୍ତି ତ୍ୱରାନ୍ୱିତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।

ତେବେ ଏହି ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସାସ୍ୱତା ମିଶ୍ର, ସ୍ୱାସ୍ଥ୍ୟ ବିଭାଗ କମିଶନର-ସଚିବ ଅଶ୍ୱତୀ ଏସ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ବୃନ୍ଦା ଡି ଏବଂ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପୋମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.