Latest Odisha News

BREAKING NEWS

ପାକିସ୍ତାନ ପୁଣି କରିବ ପରମାଣୁ ପରୀକ୍ଷଣ !

ନୂଆଦିଲ୍ଲୀ: ଆଲ୍ଲା ତାଙ୍କୁ ଦେଶର ରକ୍ଷକ କରିଛନ୍ତି। ନିକଟରେ ଓ୍ବାଶିଂଟନରେ ଏଭଳି ବୟାନ ଦେଇଛନ୍ତି ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର। ପାକିସ୍ତାନର ସେନା ମୁଖ୍ୟଙ୍କ ପାଇଁ ଏଭଳି ବୟାନ ନୂଆ ନୁହେଁ। 1958ମସିହାରେ ତତ୍କାଳୀନ ଫିଲଡ ମାର୍ସଲ ମହମ୍ମଦ ଆୟୁବ ଖାନ୍ ମଧ୍ୟ ନିଜକୁ ପାକିସ୍ତାନର ରକ୍ଷକ କହିଥିଲେ। ପାକିସ୍ତାନର ତୃତୀୟ ସେନା ତାନାଶାହ ଜେନେରାଲ ଜିୟା-ଉଲ-ହକ ମଧ୍ୟ ଆଲ୍ଲାଙ୍କ ନାଁରେ ଦେଶରେ ଜିହାଦ ପାଇଁ ଆହ୍ବାନ କରିଥିଲେ। ଜିୟାଙ୍କ ଶାସନ କାଳରେ ପାକିସ୍ତାନକୁ ତିନି ଏ ଆଲ୍ଲା, ଆର୍ମି ଓ ଆମେରିକା ଚଳାଉଥିବା କୁହାଯାଉଥିଲା। ଏବେ ମୁନିରଙ୍କ ସମୟରେ ପୁଣି ଆମେରିକା ପାକିସ୍ତାନ ଫେରିଛି। ଏହା ମଧ୍ୟରେ ଚର୍ଚ୍ଚା ହେଉଛି ପୁଣି ପରମାଣୁ ପରୀକ୍ଷଣ କରିବ କି ପାକିସ୍ତାନ ?

ପରମାଣୁ ପରୀକ୍ଷଣ କରିବେ ମୁନିର?

ସେନା ମୁଖ୍ୟ ଅସିମ ମୁନିରଙ୍କୁ ନେଇ ପାକିସ୍ତାନରେ ପ୍ରବଳ ଅସନ୍ତୋଷ ରହିଛି। ତେବେ ଭାରତ ସହ ସଂଘର୍ଷ ପରେ ପଞ୍ଜାବ ଅଞ୍ଚଳରେ ମୁନିରଙ୍କ ଲୋକପ୍ରିୟତା କିଛି ପରିମାଣରେ ଫେରିଛି। ଏଭଳି ସ୍ଥିତିରେ ପୂରା ପାକିସ୍ତାନକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ମୁନିର। ତେଣୁ ଇସାଲାମାବାଦ ନିଜ ପୁରୁଣା ପରମାଣୁ ଅସ୍ତ୍ର ସକ୍ଷମ ଆତଙ୍କବାଦ ବା ଏନଡବ୍ଲୁଇଟି ନୀତିକୁ ପୁଣି ସକ୍ରିୟ କରିବାକୁ ଉଦ୍ୟମ କରିପାରେ। ଆମେରିକାରେ ମୁନିରଙ୍କ ପରମାଣୁ ଧମକ ପାକିସ୍ତାନର ଦୁର୍ବଳ ରଣନୈତିକ ସ୍ଥିତି ଓ ଖରାପ ଅର୍ଥବ୍ୟବସ୍ଥାର ଝଲକ ଦେଖାଉଛି। ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ ଭାରତର ଆକ୍ରମଣ ଆଗରେ ପାକିସ୍ତାନ ଅସହାୟ ଥିଲା। ଦେଶର ପରମାଣୁ ଧମକ ଫେଲ୍ ମାରିଛି। ଏଭଳି ସ୍ଥିତିରେ ପରମାଣୁ ପରୀକ୍ଷଣ ଛଡା ମୁନିରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିବା କୁହାଯାଉଛି।

ଟ୍ରମ୍ପଙ୍କ ସାଥ୍…ମୁନିରଙ୍କୁ ମଉକା

ପରମାଣୁ ବ୍ଲାକମେଲିଂକୁ କୌଣସି ମତେ ବରଦାସ୍ତ କରାଯିବନି ବୋଲି ଭାରତ ସ୍ପଷ୍ଟ କରିସାରିଛି। ତେଣୁ ପୁଣି ପରମାଣୁ ପରୀକ୍ଷଣ କରି ଅସିମ ମୁନିର ଭାରତକୁ ଡରାଇବାକୁ ଚାହୁଁଥିବା ବିଶେଷଜ୍ଞ କହିଛନ୍ତି। ଏହାସହ ପାକିସ୍ତାନର ଜନତାଙ୍କୁ ବି ପରମାଣୁ ହତିଆର ନାଁରେ ପୁଣି ଜାତୀୟତା ଭାବ ଜାଗ୍ରତ କରିବାକୁ ଉଦ୍ୟମ କରିପାରନ୍ତି। ଆମେରିକାର ଟ୍ରମ୍ପ ପ୍ରଶାସନ ସଂପୂର୍ଣ୍ଣ ଭାବେ ପାକିସ୍ତାନ ସହ ରହିଥିବା ବେଳେ ପରମାଣୁ ପରୀକ୍ଷଣ କରିବାକୁ ମୁନିରଙ୍କ ପାଇଁ ଭଲ ମଉକା ହୋଇପାରେ। କାରଣ ପୂର୍ବରୁ ହିଁ ନୋବେଲ ପୁରସ୍କାର ପାଇଁ ମନୋନୀତ କରି ଡୋନାଲଡ ଟ୍ରମ୍ପଙ୍କ ଗୁଡବୁକରେ ରହିଛନ୍ତି ମୁନିର।

ସହଜ ହେବ କି ପରମାଣୁ ପରୀକ୍ଷଣ !

ବିଶ୍ବ ସମୀକରଣକୁ ଦେଖି ପାକିସ୍ତାନ ପୁଣି ପରମାଣୁ ପରୀକ୍ଷଣ କରିବା ନେଇ ଯେତେ କଳ୍ପନା ଜଳ୍ପନା ପ୍ରକାଶ ପାଇଲେ ମଧ୍ୟ ଏହା ଦେଶ ପାଇଁ ଏତେ ସହଜ ହେବନି। କାରଣ ଦେଶର ଅର୍ଥନୈତିକ ସ୍ଥିତି ଖରାପ ଥିବା ବେଳେ ପାକିସ୍ତାନ ଏବେ ପରମାଣୁ ପରୀକ୍ଷଣ କରିବାକୁ ଉଦ୍ୟମ କଲେ ଅନ୍ତର୍ଜାତିକ ପ୍ରତିବନ୍ଧକ ଲାଗିବ। ଏହାପରେ ଟ୍ରମ୍ପ ପ୍ରଶାସନ ପାଇଁ ବି ପାକିସ୍ତାନକୁ ରକ୍ଷା କରିବା ସମ୍ଭବ ହେବନି। ପାକିସ୍ତାନ ପରମାଣୁ ପରୀକ୍ଷଣ କରୁ, ସେକଥା ଚୀନ୍ ମଧ୍ୟ ଚାହିଁବନି। ତେବେ ଏଭଳି କରିବା ଅସିମ ମୁନିରଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ। କାରଣ ଏହା ମୁନିରଙ୍କ ବ୍ୟକ୍ତିଗତ ଛବିକୁ ପାକିସ୍ତାନରେ ଉଜ୍ଜ୍ବଳ କରିପାରେ। ଦେଶର ଜନତା ମହଙ୍ଗା ମାଡ଼, ବେକାରୀ ଓ ଇନ୍ଧନ ସଂକଟ ସହ ଯୁଝୁଥିବା ବେଳେ ପରମାଣୁ ପରୀକ୍ଷଣ ମୁନିରଙ୍କୁ ଦେଶର ଅସଲ ଶାସକ ବନାଇପାରେ।

 

Comments are closed.