ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଚବିଶି ଗୁରୁ ବର୍ଣନା ମଧ୍ୟରେ ଅବଧୂତ ପ୍ରଥମେ ପଞ୍ଚମହାଭୂତଙ୍କ ଠାରୁ ବିଭିନ୍ନ ଶିକ୍ଷା ଗ୍ରହଣ କରିବାକୁ ଲାଗିଲେ ଏହି କ୍ରମରେ ପୃଥିବୀ, ପବନ, ଆକାଶ, ଜଳ ଆଲୋଚନା ସାରିବା ପରେ ଏଵେ ଆଲୋଚନା କରିବା ପଞ୍ଚମ ତଥା ଅନ୍ତିମ ଉପାଦାନ ଅଗ୍ନିଙ୍କ କଥା
5. ଅଗ୍ନି :- ଏହା ସଭ୍ୟ ମଣିଷଙ୍କ ପାଇଁ ନିତ୍ୟାନ୍ତ ଉପଯୋଗୀ, କାରଣ ଏହା ବିନା ସୁସ୍ଥ ଜୀବନ ଯାପନ ସମ୍ଭବ ନୁହେଁ। ଅଗ୍ନି ମଧ୍ୟ ସର୍ବଭକ୍ଷୀ, କୌଣସି ପଦାର୍ଥର ଦୋଷ ଗୁଣ ନଦେଖି ଅଗ୍ନି ସବୁ କିଛି ଗ୍ରାସ କରେ ଓ ନିଜର ଶକ୍ତି ଦ୍ଵାରା ଭସ୍ମ କରିଦିଏ। ଅଗ୍ନିଙ୍କ ତେଜ ସଂସାରରେ ଶକ୍ତି ଭରିଦିଏ। ଅଗ୍ନିଙ୍କ ଏହି ମହତ ଗୁଣବର୍ଣନା ଭାଗବତରେ
ତପେ ମୋହର କଳେବର।
ସୁଦୀପ୍ତ ତେଜ ବଳିୟାର।।
କେବଳ ପାତ୍ର ମୋ ଉଦର।
ଏଣୁ ମୁଁ ଲୋକେ ଭୟଙ୍କର।।
ତେଣୁ ମୁଁ ଧ୍ୟାନ ଯୋଗ ବଳେ।
ଭୋଜନ କରେ ସର୍ବ ଠାରେ।।
ଅଗ୍ନି ଯେସନେ ସର୍ବ ଖାଇ।
ବିଚାରେ ଦୋଷ ଗୁଣ ନାହିଁ।।
କେବେ ପ୍ରକାଶେ ଅପ୍ରକାଶେ।
ଭୋଜନ କରେ ସର୍ବବାସେ।।
ଶ୍ରେୟ ଇଚ୍ଛନ୍ତା ଦାତାଙ୍କର।
ପାପ ନାଶଇ ପୂର୍ବା ପର।।
ଆପଣା ମାୟାରେ ସୃଜନ।
ଯେ ସତ ଅସତ ଲକ୍ଷଣ।।
ତହିଁ ପ୍ରବେଶ ହୋଇ ତାର।
ସ୍ୱରୂପ ପ୍ରକାଶେ ଈଶ୍ୱର।।
ଅଗ୍ନି ଯେମନ୍ତ କାଷ୍ଠ ପାଇ।
ତେମନ୍ତ ରୂପ ପ୍ରକାଶଇ।।
ଏଣୁ ଅଗ୍ନି କୁ ଗୁରୁ କରି।
ଭ୍ରମଇ ଲୋକେ ଦେହ ଧରି।।
କେବଳ ପଞ୍ଚ ମହାଭୂତ କ୍ଷିତ, ଆପ, ତେଜ, ମରୁତ ଓ ବ୍ୟମୋ ଯେ ସଂସାରରେ ଗୁରୁ ଉପାଦାନ ତାହା ନୁହେଁ, ଆମର ଅତି ପ୍ରିୟ ଚନ୍ଦ୍ର ଅବା ଜହ୍ନମାମୁଙ୍କୁ ଅବଧୂତ ଗୁରୁ କଲେ।
6. ଚନ୍ଦ୍ର:- ଆମେ ଆକାଶରେ ଚନ୍ଦ୍ରଙ୍କ କ୍ଷୟ ବୃଦ୍ଧି ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହୁଏ ଲାଗେ ଯେପରି ଗୋଟିଏ ପକ୍ଷ ପରେ ଚନ୍ଦ୍ର କ୍ଷୟ ହୁଏ ପୁଣି ଗୋଟିଏ ପକ୍ଷ ବୃଦ୍ଧି ହୋଇଥା ଏହାକୁ ଅବଧୂତ ଜୀବନ ଚକ୍ର ସହିତ ତୁଳନା କରିଛନ୍ତି। ଶରୀରର ବୃଦ୍ଧି ଓ କ୍ଷୟ ଘଟେ କିନ୍ତୁ ଆତ୍ମା ଥାଏ ନିଶ୍ଚଳ, ନିର୍ବିକାର। ଠିକ ଚନ୍ଦ୍ରମାଙ୍କ ପରି ସର୍ବଦା ପୂର୍ଣ୍ଣ, କିନ୍ତୁ ହ୍ରାସ ବୃଦ୍ଧି ଘଟେ ଚନ୍ଦ୍ର କଳାର ଯଥା
ଜନ୍ମ, ଯୌବନ, ଜରା, ମୃତ୍ୟୁ।
ଶୁଭ ଅଶୁଭ ଦୁଃଖ ହେତୁ।।
ଏ ସର୍ବ ଗୁଣ ବହେ ଦେହ।
ଜୀବର ନୋହେ ପରି ଗ୍ରହ।।
ଚନ୍ଦ୍ରର କ୍ଷୟ ବୃଦ୍ଧି ଯେହ୍ନେ।
କୃଷ୍ଣ ଶୁକଳ ପକ୍ଷ ମାନେ।।
ଲୋକ ଲୋଚ6ନ ଭ୍ରାନ୍ତି ଦିଶେ।
ଅକ୍ଷୟ ଏକ କଳା ଶେଷେ।।
ଜୀବର ଏମନ୍ତ ବେଭାର।
ସ୍ଵଭାବେ ଅଜର ଅମର।।
ଏ ଅନୁଭବେ ଚନ୍ଦ୍ର ଚାହିଁ।
ଭ୍ରମଇ ଗୁରୁ ଶିକ୍ଷା ପାଇ।।
ନିଜର ଦୃଷ୍ଟି କୋଣକୁ ବିସ୍ତାରିତ କରି ଅବଧୂତ ଗୋଟିଏ ପରେ ଗୋଟିଏ ଗୁରୁ ଗ୍ରହଣ କରି ଚାଲିଲେ। ଆଗକୁ ଜାଣିବା ସୂର୍ଯ୍ୟ ଓ କପୋତଙ୍କ କଥା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.