ନୂଆଦିଲ୍ଲୀ: ଅନଲାଇନ ଗେମରେ ଅଙ୍କୁଶ। ସଂସଦରେ ପାରିତ ହୋଇଛି ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ ଗେମିଂ ବିଲ୍-୨୦୨୫। ଗତ କିଛି ବର୍ଷ ଧରି ଅନଲାଇନ୍ ଗେମ୍ ଉପରେ ରୋକ୍ ଲଗାଇବାକୁ ଚର୍ଚ୍ଚା ହେଉଥିବା ବେଳେ ଏନେଇ ଆଇନ ଆଣିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିଲ ଦ୍ବାରା ଅନଲାଇନ୍ ରିୟଲ ଟାଇମ୍ ଗେମ୍ ଉପରେ ଅଙ୍କୁଶ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। କିଛି ରାଜ୍ୟ ଅନଲାଇନ୍ ଗେମ ନେଇ ଆଇନ ଆଣିଥିଲେ ମଧ୍ୟ ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରିନି।
ଅନଲାଇନ୍ ଗେମିଂ ବିଲ କାହିଁକି?
ଅନଲାଇନ୍ ମନି ଗେମ ଦ୍ବାରା ଗମ୍ଭୀର ସାମାଜିକ, ଆର୍ଥିକ ଓ ମାନସିକ ସମସ୍ୟା ସାମନାକୁ ଆସୁଛି। ଅନେକ ସମୟରେ ଆତ୍ମହତ୍ୟା, ଋଣ ଜାଲ ଓ ଅବୈଧ ସ୍ରୋତରୁ ଲୋକେ ଟଙ୍କା ପାଇବା ନେଇ ମନ ବଳାଉଛନ୍ତି। ଏଥିରେ ଅଙ୍କୁଶ ଲଗାଇବାକୁ ଅନଲାଇନ୍ ଗେମିଂ ବିଲ ଅଣାଯାଇଛି। ସେହିପରି ଇ-ସ୍ପୋର୍ଟସ ଓ ନନ-ମନିଟାଇଜଡ ସୋସିଆଲ୍ ଗେମକୁ ପ୍ରୋତ୍ସାହିତ କରିବାକୁ ଗୁରୁତ୍ବ ଦିଆଯାଉଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ରିୟଲ ଟାଇମ୍ ଅନଲାଇନ ଗେମିଂ ଉପରେ ରୋକ୍ ଲଗାଇବାକୁ ପଦକ୍ଷେପ ନେଉଛନ୍ତି। ତେବେ ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରୀ ମତରେ ଏହାଦ୍ବାରା ପ୍ରାୟ 2ଲକ୍ଷ ଲୋକଙ୍କ ରୋଜଗାର ବିପଦରେ ପଡିପାରେ।
ଅନଲାଇନ୍ ଗେମି ବିଲରେ ବଡ଼ କଥା
ବିଲରେ ବାସ୍ତବ ଅର୍ଥ ଗେମ ଉପରେ ସଂପୂର୍ଣ୍ଣ ଭାବେ ରୋକ୍ ଲଗାଇବାକୁ କୁହାଯାଇଛି। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଅନଲାଇନ୍ ଗେମିଂ ସର୍ଭିସ ଦେଇ ପାରିବେନି। କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ନେଣଦେଣ ପାଇଁ ଅନୁମତି ଦେବେନି। ନିୟମ ନମାନିଲେ 3ବର୍ଷ ଜେଲ କିମ୍ବା 1କୋଟି ଟଙ୍କା ଜରିମାନା ଦେବାକୁ ପଡିବ। କେବଳ ଗେମିଂ କମ୍ପାନୀ ନୁହେଁ ଏହାର ବିଜ୍ଞାପନ କରୁଥିବା ସେଲିବ୍ରିଟି, ସ୍ପନସରଙ୍କ ବିରୋଧରେ ବି ଆକ୍ସନ ହେବ। ମନି ଗେମର ବିଜ୍ଞାପନ ଦେଲେ କିମ୍ବା ଏହାର ମାର୍କେଟିଂ କରି ଦୋଷୀ ସାବ୍ୟସ୍ତ ହେଲେ ଦୁଇ ବର୍ଷ ଜେଲ୍ କିମ୍ବା 50ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିପାରେ। ଭାରତରେ ବ୍ୟବହାର କରାଯାଉଥିବା ବିଦେଶର ଗେମିଂ ସର୍ଭିସେସକୁ ବି ପରିସରଭୁକ୍ତ କରାଯିବ। ଅର୍ଥାତ ବିଦେଶୀ ଅପରେଟର ବିଦେଶରେ ସର୍ଭର ଦ୍ବାରା ଭାରତରେ ଗେମିଂ ସେବା ଅଫର କରିପାରିବେନି।
ବୁଡାଇ ଦେଉଛି ଅନଲାଇନ୍ ଗେମ୍
ଯୁବକ ହୁଅନ୍ତୁ କି ପିଲା ଅନଲାଇନ୍ ମନି ଗେମ୍ ମାୟାରେ ପଡି ସର୍ବସ୍ବାନ୍ତ ହେଉଛନ୍ତି। ଆର୍ଥିକ କ୍ଷତି ଯୋଗୁଁ ଆତ୍ମହତ୍ୟା ବାଟ ବାଛୁଛନ୍ତି। ସରକାରୀ ସୂଚନା ଅନୁସାରେ ପ୍ରାୟ 45କୋଟି ଲୋକ ପ୍ରତି ବର୍ଷ ଅନଲାଇନ୍ ରିୟଲ ମନି ଗେମିଂରେ ପ୍ରାୟ 20ହଜାର କୋଟି ଟଙ୍କା ହରାଉଛନ୍ତି। ଗରିବ ଲୋକ ଋଣ ବୋଝରେ ଚାପି ହେଉଥିବା ବେଳେ ଯୁବବର୍ଗ ଚିନ୍ତା, ମାନସିକ ରୋଗ ଓ ଆତ୍ମହତ୍ୟା କରୁଛନ୍ତି। ତେଣୁ ଟ୍ୟାକ୍ସରୁ ହେଉଥିବା ରୋଜଗାର ଛାଡି ଲୋକଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛନ୍ତି ସରକାର।
ଇ-ସ୍ପୋର୍ଟସକୁ ପ୍ରୋତ୍ସାହନ
ଅନଲାଇନ୍ ମନି ଗେମ ଉପରେ ପ୍ରତିବନ୍ଧକ ଲାଗିବ, ହେଲେ ଇ-ସ୍ପୋର୍ଟସ ଓ ସୋସିଆଲ୍ ଗେମିଂକୁ ପ୍ରୋତ୍ସାହନ ଦେବେ ସରକାର। ଏସବୁ ଗେମକୁ ପ୍ରୋତ୍ସାହିତ କରିବାକୁ ସରକାର ଯୋଜନା ଆଣିବେ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଏହାଦ୍ବାରା ନୂଆ ରୋଜଗାର ସୃଷ୍ଟି ହେବା ସହ ଦେଶରେ ବିଶ୍ବର ସବୁଠାରୁ ବଡ଼ ବଜାର ଖୋଲିବାକୁ ଉଦ୍ୟମ କରାଯିବ। ବିଲରେ ଅନଲାଇନ୍ ଗେମିଂ ପାଇଁ ଅଥରିଟି ବନାଇବାକୁ ପ୍ରସ୍ତାବ ରହିଛି। ଏହା ଗେମିଂ ସେକ୍ଟରର ନୋଡାଲ୍ ବଡି ଭାବେ କାମ କରିବ। ଏଥିରେ ଗେମର ପଂଜୀକରଣ ଓ ଏହାର ସାର୍ଟିଫିକେସନ୍ କରାଯିବ। ଏହା ଅନଲାଇନ୍ ଗେମ ସହ ସଂପର୍କିତ ଅଭିଯୋଗ ବି ଶୁଣିବ।
Comments are closed.