ଭୁବନେଶ୍ୱର: ଭାରତର ୧୦୦ଟି ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ ଏବଂ ସୁନ୍ଦରଗଡ଼ ରହିଛି। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ରାଜ୍ୟ ପରିବହନ ବିଭାଗକୁ ଦେଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି।
ଏକ ଘରୋଇ ସଡ଼କ ସୁରକ୍ଷା ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ମନ୍ତ୍ରଣାଳୟ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ଦୃଷ୍ଟିରୁ ସୁନ୍ଦରଗଡ଼କୁ ୮୪ତମ ଏବଂ ଗଞ୍ଜାମକୁ ୯୦ତମ ସ୍ଥାନରେ ରଖିଛି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ସୁନ୍ଦରଗଡ଼ରେ ୯୦୨ଟି ଦୁର୍ଘଟଣା ରେକର୍ଡ କରାଯାଇଥିଲା। ଯେଉଁଥିରେ ୫୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୭୦୧ ଜଣ ଆହତ ହୋଇଥିଲେ। ଦୁଇଚକିଆ ଯାନ ଧକ୍କା ସବୁଠାରୁ ମାରାତ୍ମକ ଥିଲା। ଯାହା ଫଳରେ ପ୍ରାୟ ୧୨୦ ଜଣଙ୍କ ମୃତ୍ୟୁ (୨୩%) ହୋଇଥିଲା। ସେହିପରି ହିଟ୍-ଏଣ୍ଡ-ରନ୍ ମାମଲାରେ ୧୦୬ ଜଣଙ୍କ ମୃତ୍ୟୁ (୨୦.୩%) ହୋଇଥିଲା।
ଅପରପକ୍ଷରେ ଗଞ୍ଜାମରେ ଗତ ବର୍ଷ ୮୨୦ଟି ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ୩୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୧୦ ଜଣ ଆହତ ହୋଇଥିଲେ। ବିଶେଷକରି ଦ୍ରୁତ ଗତି ଦୁର୍ଘଟଣାର ପ୍ରମୁଖ କାରଣ ଥିଲା। ତେବେ ମୃତକଙ୍କ ମଧ୍ୟରୁ ୬୦% ହେଲମେଟ ପିନ୍ଧିନଥିଲେ। ଯାହା ଚିନ୍ତାର ବିଷୟ ଥିଲା।
Comments are closed.