ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ଦୁର୍ଗମ ଅଞ୍ଚଳରେ ଜଣେ ଆଶା ଦିଦିଙ୍କ ମ୍ୟାଲେରିଆରୁ ଗ୍ରାମବାସୀଙ୍କୁ ଦୂରେଇ ରଖିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ରାୟଗଡ଼ା ଜିଲ୍ଲା ବୈରାଗୀ ହାଲୁଆ ପଞ୍ଚାୟତରେ ଗୋସେଇଁ କଣ୍ଟୁଆ ଗ୍ରାମର ଆଶା ଦିଦି ସବିତା ଗାଣ୍ଠା ପ୍ରତି ଦିନ ରାତି ୯ ଠାରୁ ୧୦ ଟା ସମୟରେ ଘରକୁ ଘର ବୁଲି ଘଣ୍ଟା ବାଡେଇବା ସହିତ ଗ୍ରାମବାସୀଙ୍କୁ ମଶାରି ଟାଙ୍ଗି ଶୋଇବାର କୌଶଳ ଶିଖାଉଛନ୍ତି।
ଏହା ତାଙ୍କର ନୀତି ଦିନିଆ କାର୍ଯ୍ୟ ହୋଇଥିଲା ବେଳେ ପୂର୍ବ ଅପେକ୍ଷା ଏହି ଗ୍ରାମରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ସଚେତନତା ଅଭାବରୁ ଏହି ଗ୍ରାମରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଦୁଇ ଜଣଙ୍କ ମୃତୁ ଘଟିଥିଲା। କିନ୍ତୁ ଆଶା ଦିଦିଙ୍କ ଅଭିନବ ପ୍ରୟାସ ଯୋଗୁଁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା
ବହୁ ପରିମାଣରେ ହ୍ରାସ ପାଇଛି।
ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ସମଗ୍ର ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଔଷଧୀୟ ଯୁକ୍ତ ମଶାରି ବ୍ୟବହାର କରିବା ପାଇଁ ଅନେକ ସଚେତନତା ସୃଷ୍ଟି କରାଯାଉଛି। ମଶାରି ବ୍ୟବହାର କରିବା ପାଇଁ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭି ସନ୍ତୋଷ କୁମାର କହିଛନ୍ତି।
Comments are closed.