Latest Odisha News

BREAKING NEWS

ବେତନଟୀରେ ଖୋଲିବ କିମ୍‌ସ-ଶୁଭ୍ରା ରୁରାଲ୍ ହସ୍‌ପିଟାଲ୍

କିମ୍‌ସ ଓ ଶୁଭ୍ରା ଫାଉଣ୍ଡେସନ୍ ମିଳିତ ସହଯୋଗରେ ଖୋଲାଯିବ

ଭୁବନେଶ୍ୱର: ମୟୂରଭଞ୍ଜ ବେତନଟୀ ଅନ୍ତର୍ଗତ କୁଂଚିଶୋଳ ଗ୍ରାମରେ ଏକ ରୁରାଲ ହସ୍‌ପିଟାଲ୍ ଖୋଲିବା ପାଇଁ ଭୁବନେଶ୍ୱରର କିମ୍‌ସ ଓ ଗୁଜରାଟର ଶୁଭ୍ରା ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି।

ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ୍‌ର ନିର୍ଦ୍ଦେଶିକ ସ୍ମିତା ମୁର୍ମୁଙ୍କ ଉପସ୍ଥିତରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ୍ ପକ୍ଷରୁ ବଦ୍ରି ମହାପାତ୍ର ଓ କିମ୍‌ସ ପକ୍ଷରୁ ଏହାର ଗ୍ରୁପ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ବୁଝାମଣା ଅନୁଯାୟୀ ହସ୍‌ପିଟାଲ୍ ପାଇଁ ଶୁଭ୍ରା ପ୍ରିୟମ୍ବଦା ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ଭିତିଭୂମି ଯୋଗାଇ ଦିଆଯାଇଛି। କିମ୍‌ସ ହସ୍‌ପିଟାଲ୍‌ର କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଂଟ, ଅପରେସନ୍ ଓ ସମସ୍ତ ପ୍ରଶାସନିକ ଦାୟିତ୍ୱ ବହନ କରିବ।

ସୂଚନାଯୋଗ୍ୟ, ସ୍ମିତା ମୁର୍ମୁ ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ବେଳେ ଗତ ୩୦ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସମେତ ସ୍ଥାନୀୟ ଅଂଚଳରେ ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ସମାଜ ମଙ୍ଗଳ କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। କିମ୍‌ସ ଓ ଶୁଭ୍ରା ପ୍ରିୟମ୍ବଦା ହସ୍‌ପିଟାଲ୍ ହେଲେ ଏହା ଦ୍ୱାରା ବେତନଟୀ ତଥା ସ୍ଥାନୀୟ ଅଂଚଳର ଜନଜାତି ଓ ବହୁ ଜନସାଧାରଣ ଉପକୃତ ହୋଇପରିବେ। ବେତନଟୀର କୁଂଚିଶୋଳ ଗ୍ରାମ ହେଉଛି ଓଡ଼ିଶା ତଥା ଭାରତର ଗର୍ବ ଓ ଗୌରବ ଜମ୍ମୁ କାଶ୍ମୀରର ପ୍ରଥମ ଏଲ୍‌ଜି ତଥା ଭାରତର ପୂର୍ବତନ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମିତ ଗ୍ରାମ।

ଏଥିରେ ଖୁସି ବ୍ୟକ୍ତ କରି କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଆମେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଆସୁଛୁ। କିମ୍‌ସ-ଶୁଭ୍ରା ପ୍ରିୟମ୍ବଦା ହସ୍‌ପିଟାଲ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି।

 

Comments are closed.