ନୂଆଦିଲ୍ଲୀ: ବିବାଦରେ ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୈତ୍ରା। କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ବିବାଦ ପାଲଟିଛି।
ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଏହି ବିବାଦ ସୃଷ୍ଟି କରିଛନ୍ତି। ବାଂଲାଦେଶୀ ଅବୈଧ ଅନୁପ୍ରବେଶ ପ୍ରସଙ୍ଗରେ ସେ ଶାହଙ୍କୁ ଦାୟୀ କରି ଆପତ୍ତିଜନକ ବୟାନ ଦେଇଛନ୍ତି। ଅମିତ ଶାହାଙ୍କ ମୁଣ୍ଡ କାଟି ତାଙ୍କ କଟା ମୁଣ୍ଡକୁ ପ୍ରଦର୍ଶନ ପାଇଁ ଟେବୁଲ ଉପରେ ରଖିବା ଉଚିତ୍ ବୋଲି କହି ବିବାଦ ଘେରକୁ ଆସିଛନ୍ତି। ବିଜେପି ଏହାକୁ “ଘୃଣାସ୍ପଦ ବୟାନ” କହି ତୀବ୍ର ନିନ୍ଦା କରିଛି।
ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ସାମ୍ବାଦିକଙ୍କୁ ମହୁଆ କହିଛନ୍ତି, ଯଦି ସୀମା ସୁରକ୍ଷା ନ ହୁଏ, ଅନୁପ୍ରବେଶକାରୀ ମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ପଶି ଆମ ମହିଳାଙ୍କୁ ଅସମ୍ମାନ ଓ ଜମି ଦଖଲ କରୁଛନ୍ତି, ତେବେ ଏଥିପାଇଁ ଅମିତ ଶାହଙ୍କୁ ଦାୟୀ ବୋଲି ବିବେଚନା କରି କଠୋର ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଉଲ୍ଲେଖ କରି ଶାହଙ୍କୁ ଟାର୍ଗେଟ କରିଥିଲେ।
ବିଜେପି ନେତା ପ୍ରଦୀପ ଭଣ୍ଡାରୀ ଏହାକୁ “ବିଷାକ୍ତ ଓ ଘୃଣାସ୍ପଦ” ବୟାନ କହିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ମହୁଆଙ୍କ ମନ୍ତବ୍ୟ ରାଜନୀତିର ସୀମା ଟପି ଗଲାଣି। ଏହା ନିନ୍ଦନୀୟ। ବିଜେପି ନେତା ରାହୁଲ ସିହ୍ନା ଟିଏମସିକୁ କ୍ଷମା ମାଗିବାକୁ ଓ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। କୃଷ୍ଣାନଗରର କୋତୱାଲୀ ଥାନାରେ ସ୍ଥାନୀୟ ବାସିନ୍ଦା ସନ୍ଦୀପ ମଜୁମଦାର ମହୁଆଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
ବିଜେପିର ସମାଲୋଚନା ପରେ ମହୁଆ ସୋସିଆଲ ମିଡିଆରେ କହିଛନ୍ତି, ବିଜେପି ତାଙ୍କର ଏକ ବୟାନକୁ ସୋସିଆଲ ମିଡିଆରେ ଭାଇରାଲ କରୁଛି। ତାଙ୍କ ମନ୍ତବ୍ୟକୁ ସଠିକ୍ ବୋଲି କହିଛନ୍ତି।
ବାଂଲାଦେଶୀ ଅନୁପ୍ରବେଶ ଏକ ଗୁରୁତର ସମସ୍ୟା। ୨୦୨୫ରେ ୩,୫୩୬ ଅନୁପ୍ରବେଶକାରୀ ଧରାପଡ଼ିଛନ୍ତି, ଯାହା ୨୦୨୪ର ୧,୦୪୯ ତୁଳନାରେ ଅଧିକ। ସୀମା ସୁରକ୍ଷା ବାହିନୀ (ବିଏସଏଫ) ୨୦୨୫ରେ ୧,୩୭୨ ଜଣଙ୍କୁ ଧରିଛି। ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଓ ଆସାମରେ ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି।
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ତେଣୁ ଏହି ପ୍ରସଙ୍ଗ ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି। ଟିଏମସି ଏ ବିଷୟରେ ଆନୁଷ୍ଠାନିକ ମନ୍ତବ୍ୟ ଦେଇନାହିଁ। ସୀମା ସୁରକ୍ଷା ଓ ରାଜନୈତିକ ବୟାନବାଜି ଉପରେ ଆଲୋଚନା ଜାରି ରହିଛି।
Comments are closed.