ଭୁବନେଶ୍ବର: ମହାନଦୀ ସମସ୍ୟାର ସମାଧାନ ଦିଗରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆଲୋଚନା ଆଗକୁ ବଢ଼ିଛି । ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଦୀର୍ଘ ଦିନର ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
ଆଜି ଅନୁଷ୍ଠିତ ଏକ ଫଳପ୍ରଦ ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ ସହଯୋଗୀ ସମାଧାନ ପାଇଁ ଆଲୋଚନା କରିଛନ୍ତି । ଉଭୟ ରାଜ୍ୟ ଆପୋଷ ବୁଝାମଣାରେ ଲୋକମାନଙ୍କ ହିତରେ ଉଚିତ ସମାଧାନ ଖୋଜିବାକୁ ସହମତ ହୋଇଛନ୍ତି।
ଏଥିପାଇଁ ସେପ୍ଟେମ୍ବର ମାସରେ ପ୍ରତ୍ୟେକ ରାଜ୍ୟର ଇଆଇସିଙ୍କ ନେତୃତ୍ୱରେ ଗଠିତ ବୈଷୟିକ କମିଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ସପ୍ତାହକୁ ଥରେ ବୈଠକ କରିବେ । ଏହି କମିଟି ଦ୍ୱାରା ମହାନଦୀ ଜଳ ବଣ୍ଟନରେ ଦୁଇ ରାଜ୍ୟରେ ଅଧିକ ସମନ୍ୱୟ ପାଇଁ ଏକ ସଂସ୍ଥାଗତ ଢାଞ୍ଚା (institutional framework) ପ୍ରସ୍ତୁତ କରିବା ନେଇ ମଧ୍ୟ ଆଲୋଚନା କରାଯିବ।
ଏହାପରେ ଅକ୍ଟୋବର ମାସରେ ଆଉ ଏକ ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ।
ଡିସେମ୍ବର ମାସରେ, ସୁବିଧା ଅନୁସାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କାମଗୁଡିକର ତଦାରଖ କରି ମହାନଦୀ ଜଳ ବିବାଦକୁ ଉଭୟ ରାଜ୍ୟର ଲୋକମାନଙ୍କ ହିତରେ ଦୀର୍ଘକାଳୀନ ଓ ସମ୍ମତିମୂଳକ ଭାବରେ ସମାଧାନ କରିବାର ପଥକୁ ନିର୍ଣ୍ଣୟ କରିବେ ବୋଲି ସୂଚନା ରହିଛି ।
Comments are closed.