Latest Odisha News

BREAKING NEWS

China Victory Parade: ଦମ୍ ଦେଖାଇଲେ ରୁଷ-କିମ୍ ଏବଂ ଜିନପିଙ୍ଗ୍, ଟ୍ରମ୍ପ କହିଲେ ଏମାନେ ଆମେରିକା ବିରୋଧୀ!

ନୂଆଦିଲ୍ଲୀ: ଆମେରିକାକୁ ଚେକ୍ ଦେବାକୁ ଏକାଠି ହେଲେ କି ଚୀନ୍, ରୁଷ ଏବଂ ଉତ୍ତର କୋରିଆ? ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଟାରିଫ ଲଗାଇବା ପରେ ଏବେ ବିଭିନ୍ନ ଦେଶ ସହ ଆମେରିକାର ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ବେଜିଂରେ ତିନି ଦେଶ ଏକାଠି ହୋଇ ଏକାଠି ସାମରିକ ପରେଡ କରିଛନ୍ତି। ଯାହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

ପ୍ରଥମେ ଏସସିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବୈଠକ ପରେ ଏବେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟକୁ ମନେ ପକାଇବା ପାଇଁ ଚୀନ୍ ଆୟୋଜିତ କରିଥିବା ପରେଡ୍, ଟ୍ରମ୍ପଙ୍କ ମନୋବଳକୁ ଭାଙ୍ଗିବା ପାଇଁ ଏକ ପ୍ରକାର ପ୍ରୟାସ ବୋଲି କୁହାଯାଉଛି । କାରଣ ପରେଡରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନ୍ ଭଳି ଦେଶ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଚୀନର ଏହି ସାମରିକ ପରେଡକୁ ପଶ୍ଚିମ ଦେଶମାନଙ୍କ ବିରୁଦ୍ଧରେ ଏକତା ଏବଂ ପରମାଣୁ ଦେଶମାନଙ୍କର ଶକ୍ତି ପ୍ରଦର୍ଶନ ବୋଲି ବିବେଚନା କରାଯାଉଥିବା ବେଳେ ଟ୍ରମ୍ପ ନିଜେ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଟ୍ରମ୍ପଙ୍କ ଜିନପିଙ୍ଗ, ପୁଟିନ ଏବଂ କିମ ଜୋଙ୍ଗଙ୍କ ଏହି ସାକ୍ଷାତକୁ ଆମେରିକୀୟ ବିରୋଧୀ ମେଣ୍ଟ ଭାବରେ କହିଛନ୍ତି ଟ୍ରମ୍ପ ।

ଚୀନ ଶକ୍ତିରେ ଟେରା ଟ୍ରମ୍ପ!

ଚୀନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ଆତ୍ମସମର୍ପଣ ଏବଂ ଜାପାନ ଉପରେ ବିଜୟକୁ ମନେ ପକାଇବା ପାଇଁ ପରେଡ୍ ଆୟୋଜନ କରିଥିଲା। ଏହି ପରେଡରେ ଚୀନ ଏପରି ସବୁ ଦେଶକୁ ନିମନ୍ତ୍ରଣ ଦେଇଥିଲା, ଯାହାଙ୍କ ସଙ୍ଗେ ପୂର୍ବରୁ ଆମେରିକାର ବିବାଦ ରହିଛି । ଚୀନର ଏହି କାର୍ଯ୍ୟକ୍ରମରେ ୨୬ ଜଣ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ଯେଉଁଥିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଏବଂ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନ୍ ଭଳି ଆମେରିକାର ପ୍ରମୁଖ ଶତ୍ରୁଙ୍କ ଉପସ୍ଥିତି ଆମେରିକାକୁ ବଡ ବାର୍ତ୍ତା ଦେଇଥିଲା । ବିଶେଷ କରି ଜିନପିଙ୍ଗଙ୍କ ଉଭୟ ପାର୍ଶ୍ବରେ ଛିଡା ହୋଇଥିବା ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନଙ୍କ ଫଟୋ । ଖାଲି ସେତିକି ନୁହେଁ ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଶ୍ୱର ସମସ୍ତ ବଡ଼ ନେତାଙ୍କୁ ଚୀନ୍‌ରେ ଦେଖିବାକୁ ମିଳିଥିଲା । ଯାହା ଆମେରିକା ବିରୁଦ୍ଧରେ ଚୀନ୍‌ର କୂଟନୀତିକୁ ସ୍ପଷ୍ଟ କରୁଛି ।

ଆମେରିକା ପାଇଁ ଷଡଯନ୍ତ୍ର କହିଲେ ଟ୍ରମ୍ପ

ଚୀନରେ ଶତ୍ରୁ ଦେଶକୁ ଏକାଠି ଦେଖି ଏବେ ଚିହିଁକି ଉଠିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏହି ମେଳିକୁ ଆମେରିକା ବିରୁଦ୍ଧରେ ଷଡଯନ୍ତ୍ର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ବିଜୟ ପରେଡରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଉପସ୍ଥିତ ଥିବା ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଦୟାକରି ଭ୍ଲାଦିମିର ପୁଟିନ ଏବଂ କିମ ଜୋଙ୍ଗ ଉନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାନ୍ତୁ, କାରଣ ଆପଣମାନେ ଆମେରିକା ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ।

ଚୀନକୁ ଭୟ କରୁଛି କି ଆମେରିକା?

ବିଜୟ ପରେଡରେ ଚୀନ୍ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଜେଟ୍ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର ପ୍ରଣାଳୀ, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଉପକରଣ ସମେତ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସର୍ବସାଧାରଣରେ ପ୍ରଦର୍ଶନ କରିଥିଲା । ବିଶ୍ୱ ସମ୍ମୁଖରେ ଚୀନ ନୂତନ କ୍ଷେପଣାସ୍ତ୍ର DF-61 ଏବଂ JL-3 ଦେଖାଇଛି । ଯାହା ପୂର୍ବରୁ ସେ କେବେ ବି ଲୋକଲୋଚନକୁ ଆଣିନଥିଲା । ରେଡରେ ଏକ ବିଶେଷ ପ୍ରକାରର ଡ୍ରୋନ୍ ମଧ୍ୟ ଦେଖାଯାଇଥିଲା, ଯାହାର ଆକୃତି ଆମେରିକାର B-2 ବୋମାବର୍ଷୀ ବିମାନ ସହିତ ସମାନ। ଏହି ଡ୍ରୋନ୍ ଟି FH-97 କିମ୍ବା Feihong-97 ନାମରେ ମଧ୍ୟ ଜଣାଶୁଣା।  ଯାହା ଆମେରିକାକୁ ବି ବିସ୍ମିତ କରିଛି । ଅପରପକ୍ଷେ ଚୀନ ହେଉଛି ଏସିଆ ଅଞ୍ଚଳରେ ଆମେରିକା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଏବଂ ପ୍ରତିଯୋଗୀ । ଆମେରିକା ଚୀନର ବିଶ୍ୱ ଶକ୍ତିକୁ ସବୁଠାରୁ ଅଧିକ ଭୟ କରେ, ଆମେରିକା କେବେ ଚାହେଁ ନାହିଁ ଯେ ଚୀନ ଏବଂ ରୁଷ ଭଳି ଦେଶ ଏକାଠି ହୁଅନ୍ତୁ। ଏହା ସହିତ, ଆମେରିକାକୁ ବାରମ୍ବାର ଧମକ ଦେଉଥିବା କିମ ଜୋଙ୍ଗ ଉନ, ଚୀନର ପରେଡରେ ଯୋଗଦେବା ଆମେରିକା ପାଇଁ ଏକ ଚ୍ୟାଲେଞ୍ଜ । ଏହି କାରଣରୁ ଆମେରିକା ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ଏଥିସହିତ ଆମେରିକାର ଲେଖକ ଜନ୍ ମିୟରସାଇମର ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କ ପୁସ୍ତକ ‘ଦି ଟ୍ରାଜେଡି ଅଫ୍ ଗ୍ରେଟ୍ ପାୱାର ପଲିଟିକ୍ସ’ରେ ସ୍ପଷ୍ଟ କରିଥିଲେ ଯେ ଚୀନର ଅଭିବୃଦ୍ଧି ଆମେରିକା ପାଇଁ ବହୁତ ବିପଜ୍ଜନକ ହୋଇପାରେ। ଯଦି ରୁଷ ଏବଂ ଚୀନ ଏକାଠି ହୁଅନ୍ତି, ତେବେ ଏହା ଆମେରିକା ପାଇଁ ଏକ ବଡ଼ ବିପଦ । ଯାହା ବାସ୍ତବରେ ସତ ହେଉଥିବା ବେଳେ ବିଶ୍ବ ମଞ୍ଚ ଏବେ ଚୀନରେ ଏକାଠି ହେବା ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଛି ।

Comments are closed.