Latest Odisha News

BREAKING NEWS

ଜଜଙ୍କୁ ଧମକ; ୫୦୦ କୋଟି ଧରି ଜଙ୍ଗଲକୁ ଆସ, ନଚେତ୍ ଜୀବନ…

ରେୱା: ରେୱା ଜିଲ୍ଲାର ସୋହାଗି ଥାନା ଅଞ୍ଚଳ ଅନ୍ତର୍ଗତ ତ୍ୟୋନ୍ଥର କୋର୍ଟରେ ନିୟୋଜିତ ପ୍ରଥମ ସିଭିଲ୍ ଜଜ୍ ମୋହିନୀ ଭଦୌରିଆଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆସିଛି। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି।

ଚିଠିଟି ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରୁ ଆସିଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ଯଦି ବିଚାରପତି ବଞ୍ଚିବାକୁ ଚାହାନ୍ତି ତାହେଲେ ୫୦୦ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା। ଆଉ ଯଦି ସେ ଟଙ୍କା ନ ଦିଅନ୍ତି ତାହେଲେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦିଆଯାଇଛି। ତେବେ ଚିଠିଟି ବାରା ଥାନା ଅନ୍ତର୍ଗତ ଲୋହଗାରା ବାସିନ୍ଦା ସନ୍ଦୀପ ସିଂହଙ୍କ ନାମରେ ପଠାଯାଇଥିବା ସୂଚନା ମିଳିଛି।

ବ୍ୟକ୍ତି ଜଣକ ନିଜକୁ ଡକାୟତଙ୍କ ନେତା ଓ ହନୁମାନ ଗ୍ୟାଙ୍ଗର ସଦସ୍ୟ ଭାବରେ ପରିଚୟ ଦେଇଛି। ତେବେ ସେହି ଧମକ ପୂର୍ଣ୍ଣ ଚିଠିରେ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟା ୭:୪୫ରେ ଉତ୍ତର ପ୍ରଦେଶର ବଡ଼ଗଡ଼ ଜଙ୍ଗଲକୁ ବିଚାରପତି ନିଜେ ୫୦୦ କୋଟି ଟଙ୍କା ନେଇଯିବାକୁ କୁହାଯାଇଥିଲା।

ଏହି ଚିଠିଟି ପହଞ୍ଚିବା ମାତ୍ରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ତୁରନ୍ତ ବିଚାରପତି ମୋହିନୀ ଭାଦୋରିଆ ସୋହାଗି ଥାନାକୁ ଏନେଇ ସୂଚନା ଦେଇଥିଲେ। ତେବେ ଏହି ଚିଠି ଲେଖିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ବିଏନଏସର ଧାରା ୩୦୮ (୪) ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ଅପରପକ୍ଷରେ ଏହି ଘଟଣା ପରେ ବିଚାରପତିଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।

ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ଏକ ଟିମ୍ ଉତ୍ତର ପ୍ରଦେଶକୁ ପଠାଇଥିବା ଜଣାପଡିଛି। ତେବେ ଅଭିଯୁକ୍ତ ଗିରଫ ହୋଇସାରିବା ପରେ ହିଁ ଏହି ଧମକପୂର୍ଣ୍ଣ ଚିଠି ପଠାଇବା ପଛରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

 

Comments are closed.