ବରଗଡ: ପୁଅକୁ ହରାଇ କାନ୍ଦୁଛି ମା, ବାପାଙ୍କୁ ହରାଇ କାନ୍ଦୁଛନ୍ତି ପରିବାର ବର୍ଗ । ସମସ୍ତଙ୍କ ଆଦରର ଥିବା ଖଗେନ୍ଦ୍ର ଆଉ ନାହାଁନ୍ତି । ସହୀଦ ହୋଇ ସେ ଘରକୁ ଫେରିଛନ୍ତି । ବରଗଡ ଜିଲ୍ଲା ଗୋଡଭଗା ଗାଁର ଖଗେନ୍ଦ୍ର ମହାପାତ୍ର ସହିଦ ହୋଇଛନ୍ତି । ଅବସର ନେବା ପାଇଁ ଆଉ ମାତ୍ର ୪ ବର୍ଷ ଥିଲା । ହେଲେ ଅବସର ନେବା ଆଗରୁ ସମସ୍ତଙ୍କୁ ଏକୁଟିଆ କରି ପଳାଇଲେ । ଭାରତ ମାତାର କୋଳରେ ଚିର ନିଦ୍ରାରେ ସବୁଦିନ ପାଇଁ ଶୋଇ ପଡିଲେ ଯବାନ ଖଗେନ୍ଦ୍ର । ଗାଁରେ ତାଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକାକୂଳ ହୋଇଥିଲା ।
ଗୋଡଭରା ଗାଁରେ ଖଗେନ୍ଦ୍ର ମହାପାତ୍ର ୧୪ ବର୍ଷ ପୂର୍ବେ ବିଏସଏଫ ଯବାନରେ ଯୋଗ ଦେଇଥିଲେ । ମଣିପୁର ଓ ମେଘାଳୟ ଅଞ୍ଚଳରେ ସେ କାର୍ଯ୍ୟ କରୁଥିଲେ । ଚାକିରି ସରିବାକୁ ଆଉ ମାତ୍ର ୪ ବର୍ଷ ଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ପ୍ରତିଦିନ ପରି ସେପ୍ଟେମ୍ବର ୩ ତାରିଖ ଦିନ ସେ ମିଲିଟାରୀ ରୁଟିନ ସାରି ଘାସ ସଫେଇରେ ଲାଗି ପଡିଥିଲେ । ହେଲେ ସେହି ଘାସ ସଫେଇ ବେଳେ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଥିଲେ । ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିବା ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ହେଲେ ସେତେବେଳକୁ ଖଗେନ୍ଦ୍ର ଆରପାରିକୁ ଚାଲିଯାଇଥିଲେ ।
ଗାଁରେ ଏହି ଖବର ପ୍ରଘଟ ହେବା ପରେ ସମସ୍ତେ ଚକ୍କିତ ହୋଇଯାଇଥିଲେ । ଜନ୍ମ କରିଥିବା ମାଆ ଖବର ଶୁଣି ତଳେ ପଡିଯାଇଥିଲେ । କେମିତି ବା ମା ମନ ବୁଝିବ । ଏତେ କଷ୍ଟ କରି ପୁଅକୁ ବଢାଇଥିଲେ । ହେଲେ ଦଇବ ଅଧା ବାଟରୁ ହିଁ ତାଙ୍କ ପାଖକୁ ନେଇଗଲା । ଗତକାଲି ରାତିରେ ପାର୍ଥିବ ଶରୀର ଗାଁକୁ ଆସିବା ପରେ ଖଗେନ୍ଦ୍ରଙ୍କୁ ରଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ଆଉ ପରିବାରଙ୍କ ଉପସ୍ଥିତିରେ ପଞ୍ଚଭୂତରେ ସେ ଲୀନ ହୋଇଯାଇଥିଲେ । ମଶାଣୀର ସେହି ଜୁଇରେ ସବୁ ଦିନ ପାଇଁ ଲିଭିଯାଇଛନ୍ତି ଖଗେନ୍ଦ୍ର । ଗାଁ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ । ଆଉ ସେହି ସ୍ୱପ୍ନ ଏବେ ସ୍ୱପ୍ନରେ ରହିଯାଇଛି ।
Comments are closed.