ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି। ସେ ଭାରତକୁ ବ୍ରିକ୍ସ ଗୋଷ୍ଠୀରେ ଋଷ ଏବଂ ଚୀନ୍ ମଧ୍ୟରେ ‘ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ’ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ଭାବୁଛି, ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଭାରତ ଆଲୋଚନା ଟେବୁଲରେ ରହିବ ଏବଂ ଆମେରିକାକୁ କ୍ଷମା ମାଗିବ। ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିବ ଭାରତ। ଏହା ଡୋନାଲ୍ଡ ଟ୍ରମ୍ପଙ୍କ ବିବେକ ଉପରେ ନିର୍ଭର କରେ ଯେ ସେ ନରେନ୍ଦ୍ର ମୋଦିଙ୍କ ସହିତ କିପରି ମୁକାବିଲା କରିବାକୁ ଚାହୁଁଛନ୍ତି ଏବଂ ଆମେ ଏହି ନିଷ୍ପତ୍ତି ତାଙ୍କ ଉପରେ ଛାଡି ଦେଉଛୁ। କାରଣ ସେ ରାଷ୍ଟ୍ରପତି”।
ଭାରତ ଋଷରୁ ଅଶୋଧିତ ତୈଳ କିଣିବା ନେଇ ଟ୍ରମ୍ପଙ୍କ ମତାମତ ସହିତ ସହମତ ହୋଇଥିଲେ ଆମେରିକାର ବାଣିଜ୍ୟ ମନ୍ତ୍ରୀ। ସେ କହିଛନ୍ତି, “ଋଷ ସହ ସଂଘର୍ଷ ପୂର୍ବରୁ, ଭାରତ ଋଷରୁ ଦୁଇ ପ୍ରତିଶତରୁ କମ୍ ତେଲ କିଣୁଥିଲା, କିନ୍ତୁ ଏବେ ଏହା ୪୦%ରେ ପହଂଚିଛି।”
ବ୍ରିକ୍ସ ମେଣ୍ଟ ବିଷୟରେ ଚେତାବନୀ ଦେଇ ସେ କହିଛନ୍ତି, “ଭାରତ, ଆମେରିକାକୁ ସମର୍ଥନ କରିବା ଏବଂ ଋଷ ଏବଂ ଚୀନ୍ ସହିତ ମେଣ୍ଟ କରିବା ମଧ୍ୟରୁ କାହାକୁ ବାଛିବାକୁ ପଡିବ। କାରଣ ସେମାନେ ବ୍ରିକ୍ସରେ ଋଷ ଏବଂ ଚୀନ୍ ମଧ୍ୟରେ ଏକ ସଂଯୋଗ।” ଯଦି ତୁମେ ତାହା ହେବାକୁ ଚାହୁଁଛ, ତେବେ ତାହା କର।”
ଟ୍ରମ୍ପ୍ ଟ୍ରୁଥ ସୋସିଆଲରେ ଏକ ବାର୍ତ୍ତା ପୋଷ୍ଟ କରିବାର କିଛି ଘଣ୍ଟା ପରେ ଲୁଟନିକ୍ ଙ୍କ ମନ୍ତବ୍ୟ ଆସିଛି। ସେ ଲେଖିଛନ୍ତି, “ଏପରି ମନେ ହେଉଛି ଯେ ଭାରତ ଏବଂ ଋଷ ଏବେ ଚୀନର ସବୁଠାରୁ ମନ୍ଦ ଏବଂ ବିପଜ୍ଜନକ ପ୍ରଭାବରେ ଆସିଯାଇଛନ୍ତି। ଆଶା କରୁଛି ସେମାନଙ୍କର ଏକ ଭଲ ଏବଂ ସମୃଦ୍ଧ ଭବିଷ୍ୟତ ହେବ!” ଅପରପକ୍ଷରେ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ପୁରୁଣା ଫଟୋ ମଧ୍ୟ ସେୟାର କରିଛନ୍ତି। ଯାହାକୁ ଦେଖିଲେ ଅନୁମାନ କରାଯାଇପରେ ଯେ ସେମାନଙ୍କ ସମ୍ପର୍କରୁ ଟ୍ରମ୍ପ ପସନ୍ଦ କରିପାରୁନାହାନ୍ତି।
Comments are closed.