ପୁରୀ: ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ଉପସ୍ଥିତିରେ ଏକ ପ୍ରେସମିଟ୍ ଅନୁଷ୍ଠିତ ହୋଇଯାଇଛି । ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ ଯେ, ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି । ଇସ୍କନ ପକ୍ଷରୁ ବିଦେଶରେ ଆୟୋଜିତ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ ।
ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି । କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଛି । ଏହା ମଧ୍ୟ ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି । ଏସମ୍ପର୍କିତ ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍/କୋରିଅରରେ ଯାଇଛି । ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ୍ ।
ଇସ୍କନ ପକ୍ଷରୁ ନୀତି ବିଭ୍ରାଟ କାର୍ଯ୍ୟ ନେଇ ଗଜପତି ମହାରାଜା କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ସେମାନେ ମାସେ ଭିତରେ ପଦକ୍ଷେପ ନେବେ ନାହିଁ, ତାହେଲେ ଦେଖିବା । ବିଭିନ୍ନ କ୍ଷେତ୍ରରେ ଆପୋସ ସମାଧାନ ପାଇଁ ଚେଷ୍ଟା କରିବା, ଛାଡ଼ିବା ନାହିଁ । ଯଦି ସମାଧାନ ନହେଲା, ଶେଷରେ ଆଇନଗତ ପଦକ୍ଷେପ ନେବୁ ।
ଅନ୍ୟପଟେ, ଇସ୍କନ ପକ୍ଷରୁ ଦର୍ଶା ଯାଉଥିବା ସମସ୍ତ ଯୁକ୍ତିକୁ ଖଣ୍ଡନ କଲେ ସଂସ୍କୃତି ବିଶାରଦ । କାହାକୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଗ୍ରହଣୀୟ ନୁହେଁ । ସନାତନ ଧର୍ମ ନାଁରେ ଯାହା ସେମାନେ ପ୍ରଚାର କହୁଛନ୍ତି, ବାସ୍ତବରେ ଏହା ଅପପ୍ରଚାର । ଶାସ୍ତ୍ର ହେଉଛି ସାର୍ବଜନୀନ ପ୍ରୟୋଗ, ଏହାର ବ୍ୟତିକ୍ରମ ଠିକ୍ ନୁହେଁ । ଭିନ୍ନ ଭିନ୍ନ ତିଥିରେ ଯାତ୍ରା କଥା ଲେଖାଯାଇଛି, ମାତ୍ର ତାହା ରଥଯାତ୍ରା ନୁହେଁ । ରଥଯାତ୍ରା ହେଉଛି ଲୋକଙ୍କ ମଙ୍ଗଳ ପାଇଁ, ଅଦିନରେ କଲେ ଦୁର୍ବିପାକ ହେବ । ମାସେ ଭିତରେ ପଦକ୍ଷେପ ନେବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନଙ୍କୁ କହିଛୁ ବୋଲି ସଂସ୍କୃତି ବିଶାରଦମାନେ କହିଛନ୍ତି ।
Comments are closed.