ନୂଆଦିଲ୍ଲୀ: ଆଜି ଲଦାଖର ସିଆଚେନ ଗ୍ଲେସିୟରରେ ପ୍ରବଳ ତୁଷାରପାତ (ହିମସ୍ଖଳନ) ହୋଇ ତିନି ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି। ହଠାତ୍ ତୁଷାରପାତ ଯୋଗୁଁ ସିଆଚେନର ଉଚ୍ଚରେ ଥିବା ବେସ କ୍ୟାମ୍ପରେ ସୈନିକମାନେ ବରଫ ଏବଂ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଉଦ୍ଧାର କାର୍ଯ୍ୟ ପରେ ତିନି ଜଣଙ୍କ ମୃତଦେହ ସେଠାରୁ ଉଦ୍ଧାର କରାଯାଇଛି। ଏପରି ହୃଦୟ ବିଦାରକ ଘଟଣା ସମଗ୍ର ଦେଶକୁ ଚକିତ କରିଦେଇଛି।
ତେବେ ସିଆଚେନ ଗ୍ଲେସିୟର କାରାକୋରମ୍ ପର୍ବତମାଳାରେ ଅବସ୍ଥିତ ଏବଂ ଏହାର ଉଚ୍ଚତା ପ୍ରାୟ ୨୦ ହଜାର ଫୁଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।ଏଠାରେ ପୂର୍ବରୁ ମଧ୍ୟ ହିମସ୍ଖଳନ ଯୋଗୁ ଅନେକ ସୈନିକ ସହିଦ ହୋଇଛନ୍ତି। ତେବେ ଭାରତ ୧୯୮୪ ମସିହାରେ ଅପରେସନ୍ ମେଘଦୂତ ଆରମ୍ଭ କରି ସିଆଚେନ ଉପରେ ନିଜର କବଜା ବଜାୟ ରଖିଛି। ସେବେଠାରୁ ଭାରତୀୟ ସୈନ୍ୟମାନେ ଦେଶକୁ ସୁରକ୍ଷା ଦେବା ପାଇଁ ଏଠାରେ ମୁତୟନ ରହିଥାନ୍ତି।
ଏହି ସୈନିକମାନେ ମାହାର ରେଜିମେଣ୍ଟର ଓ ଏଥିରେ ଉତ୍ତର ପ୍ରଦେଶ, ଗୁଜରାଟ ଏବଂ ଝାଡ଼ଖଣ୍ଡର ସୈନିକ ସାମିଲ ଥିବା ନେଇ ସୂଚନା ମିଳିଛି। ସେମାନେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବରଫ ଭିତରେ ଫସି ରହି ଶେଷରେ ପ୍ରାଣ ହରାଇଥିଲେ। ତେବେ ଏମାନଙ୍କ ମଧ୍ୟରେ ଜଣେ ସେନା କ୍ୟାପ୍ଟେନ ଥିବା ନେଇ ସୂତ୍ରରୁ ଜଣା ପଡ଼ିଛି।ପୂର୍ବରୁ ୨୦୨୧ ମସିହା ଆରମ୍ଭରେ ସବ୍-ସେକ୍ଟର ହନିଫରେ ହିମସ୍ଖଳନ ଯୋଗୁଁ ଦୁଇଜଣ ସୈନିକ ସହିଦ ହୋଇଥିଲେ ଓ ସେତେବେଳେ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅବଶିଷ୍ଟ ସୈନିକ ମାନଙ୍କୁ ଉଦ୍ଧାର କରାଯାଇଥିଲା।
ତେବେ ୨୦୨୨ ମସିହାରେ ସର୍ବାଧିକ ସଂଖ୍ୟକ ସୈନିକ ହିମସ୍ଖଳନ ଯୋଗୁ ସହିଦ ହୋଇଥିଲେ। ସେହି ବର୍ଷ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ହିମସ୍ଖଳନ ଯୋଗୁଁ ୭ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ମସିହାରେ ୪ ଜଣ ସୈନିକ ପ୍ରାଣ ହରାଇଥିଲେ। ସେମାନେ ପ୍ରାୟ ୧୮ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଭାରତୀୟ ପୋଷ୍ଟର ପାଟ୍ରୋଲିଂ କରୁଥିବା ସମୟରେ ପ୍ରାଣ ହରାଇଥିଲେ।
Comments are closed.