Latest Odisha News

BREAKING NEWS

ଦେଶର ନୂଆ ଉପ ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନୂଆ ଉପ ରାଷ୍ଟ୍ରପତି ହେଲେ ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇ ଦେଶର ୧୪ତମ ଉପ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅବସରପ୍ରାପ୍ତ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇଛନ୍ତି । ତେବେ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଭୋଟ୍ ମିଳିଥିବାବେଳେ, ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ୍ ମିଳିଛି ।

ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ ୧୯୫୭ ଅକ୍ଟୋବର ୨୦ ତାରିଖରେ ତାରିଖରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମଗ୍ରହଣ କରିଥିଲେ । ସେ ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା ଆରଏସଏସର ସକ୍ରିୟ ସଦସ୍ୟ ବି ଥିଲେ। ଏହାପରେ ୧୯୭୪ ମସିହାରେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ ।

ସିପି ରାଧାକ୍ରିଷ୍ଣନଙ୍କର ଏକ ଲମ୍ବା ରାଜନୈତିକ କ୍ୟାରିଅର୍ ରହିଛି । ସେ ବିଜେପି ସହ ଜଡିତ ଏବଂ କୋଏମ୍ବାଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପେସାରେ ଜଣେ ବ୍ୟବସାୟୀ ସିପି ରାଧାକ୍ରିଷ୍ଣନ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ । ରାଧାକ୍ରିଷ୍ଣନ ୨୦୨୪ ଜୁଲାଇ ୩୧ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ରାଜ୍ୟପାଳ ହେବା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।

ରାଧାକ୍ରିଷ୍ଣନ କ୍ରୀଡା ପ୍ରତି ମଧ୍ୟ ରୁଚି ରଖନ୍ତି । ସେ ଟେବୁଲ ଟେନିସ୍‌ରେ କଲେଜ ଚାମ୍ପିଅନ୍ ଏବଂ ଜଣେ ଲଙ୍ଗ୍ ଡିସଷ୍ଟାନ୍ସ ଧାବକ ମଧ୍ୟ ଥିଲେ। ସେ କ୍ରିକେଟ୍ ଏବଂ ଭଲିବଲ୍ ମଧ୍ୟ ପସନ୍ଦ କରନ୍ତି ।

ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପାଇଁ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି, “ସାର୍ବଜନୀନ ଜୀବନରେ ଆପଣଙ୍କର ସମୃଦ୍ଧ ଅଭିଜ୍ଞତା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଏକ ସଫଳ ଏବଂ ପ୍ରଭାବଶାଳୀ କାର୍ଯ୍ୟକାଳ ପାଇଁ ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି,” ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେହିପରି, ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜୟୀ ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ଏକ ପୋଷ୍ଟ କରି ମୋଦି ଉଲ୍ଲେଖ କରିଛନ୍ତି ଯେ, “ତାଙ୍କର ଜୀବନ ସର୍ବଦା ସମାଜର ସେବା, ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ । ମୁଁ ନିଶ୍ଚିତ ଯେ ସେ ଜଣେ ଉତ୍କୃଷ୍ଟ ଉପରାଷ୍ଟ୍ରପତି ହେବେ, ଯିଏ ଆମର ସାମ୍ବିଧାନିକ ମୂଲ୍ୟବୋଧକୁ ମଜବୁତ କରିବେ ଏବଂ ସଂସଦୀୟ ଆଲୋଚନାକୁ ବୃଦ୍ଧି କରିବେ।”

Comments are closed.