ଭୁବନେଶ୍ବର: ଆଗକୁ ବିଜେଡି ଭାଙ୍ଗିଯିବ । ଆଜି କିଛି ଏପରି ଅଭିଯୋଗ କରି ଦଳ ଛାଡିଛନ୍ତି ପୂର୍ବତନ ଛାତ୍ର ନେତା ହରିଶଙ୍କର ରାଉତ । ତିନି ଫର୍ଦ୍ଦର ଅଭିଯୋଗ ଦାଖଲ କରି ସେ ଦଳ ଛାଡିଛନ୍ତି । ହରିଶଙ୍କର ଦଳୀୟ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ କାରଣ ଦର୍ଶାଇ ଏବଂ ବରିଷ୍ଠ ବ୍ୟୁରୋକ୍ରାଟରୁ ରାଜନୈତିକ ରଣନୀତିଜ୍ଞ ହୋଇଥିବା ଭିକେ ପାଣ୍ଡିଆନଙ୍କ ଉପରେ ଦଳୀୟ ନିଷ୍ପତ୍ତି ଏକଚାଟିଆ କରିବାର ଅଭିଯୋଗ ଆଣି ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ହରିଶଙ୍କର କହିଛନ୍ତି, ଯେଉଁମାନେ ପାଣ୍ଡିଆନଙ୍କ ନିର୍ଦେଶରେ କାମ କରୁଛନ୍ତି ସେମାନଙ୍କୁ ପଦପଦବୀ ମିଳୁଛି । ମୋତେ ତିନି ତିନିଥର ପ୍ରତିଶ୍ରୁତି ଦେଇ ଧୋକା ଦେଇଛନ୍ତି । ପାଣ୍ଡିଆନଙ୍କ ଯୋଗୁ ଦଳ ୨୦୨୪ ନିର୍ବାଚନରେ ପରାଜିତ ହେଲା ବୋଲି ସେ ଅଭିଯୋଗ କରିଛନ୍ତି। “ନବୀନଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ରଖିଛନ୍ତି । ଆଗକୁ ଦଳ ସମ୍ପୂର୍ଣ୍ଣ ଭାଙ୍ଗିଯିବ,” ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଜୁ ଛାତ୍ର ଜନତା ଦଳ ନେତା।
ଏଥିସହିତ ସେ ଏହା ବି କହିଛନ୍ତି ଯେ, “ମୁଁ ଦଳ ସହ କେବେ ବିଶ୍ୱାସଘାତ କାମ କରିନି, ନିଷ୍ଠା ର ସହ ୨୦ ବର୍ଷ କାମ କରିଛି, କିନ୍ତୁ ଦଳ ମୋତେ ୩ ଥର ମିଥ୍ୟା ପ୍ରତିଶୃତି ଦେଇ ମୋ ପ୍ରତି ଅବିଚାର କରିଛି। ଦଳରେ ମୋର ୨୦ ବର୍ଷର ତପସ୍ୟାକୁ ନଷ୍ଟ କରିଥିବା ନେତୃତ୍ୱଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ନିଶ୍ଚିତ ଭାବେ ଉତ୍ତର ଦେବେ। କେବେଳ ସମୟକୁ ଅପେକ୍ଷା।” ଏଥିସହିତ ହରିଶଙ୍କର ବଡ ଅଭିଯୋଗ କରିଛନ୍ତି ଯେ, ଛାତ୍ର ଏବଂ ଯୁବ ଶାଖା ସଭାପତିଙ୍କ ଚୟନ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଣଦେଖା କରି କରାଯାଇଥିଲା।
ଏବେ ବିଜେଡିରେ ଅନେକ ଅସନ୍ତୋଷ ପଦାକୁ ଆସୁଥିବା ବେଳେ ଆଉ ଜଣେ ବିଜେଡି ନେତା ଦଳ ଛାଡିବା ନେଇ ସଙ୍କେତ ଦେଇଛନ୍ତି । ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ ଏବେ ବିଜେଡିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନାହିଁ । ଆଗକୁ ଯଦି ଦଳ ଠିକ ଭାବରେ ନଚାଲେ, ତେବେ ଦଳଠାରୁ ମୁଁ ଦୂରେଇ ଯିବି । ସେ ଆହୁରି କହିଛନ୍ତି, ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳ ଏବେ ଆଉ ପୂର୍ବ ବିଚାର ଧାରାରେ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । PAC, ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନାହିଁ । ଏଥିସହିତ ନୂଆ ଦଳ ଚର୍ଚ୍ଚାରେ ଉପରେ ପ୍ରଫୁଲ୍ଲ କହିଛନ୍ତି, ମୋ ସହିତ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।
Comments are closed.