ନୂଆଦିଲ୍ଲୀ: ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ସୋନିଆଙ୍କ ନାମ ସାମିଲ ଥିବା ଅଭିଯୋଗରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ତାଙ୍କ ନାମ ଭୋଟର ତାଲିକାରେ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଏଥିସହିତ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିବାର ଅଭିଯୋଗରେ ମଧ୍ୟ ସୋନିଆଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାକୁ ଦାବି କରାଯାଇଥିଲା।
ତେବେ ଗୁରୁବାର ଦିନ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବୈଭବ ଚୌରାସିଆ ଆବେଦନକାରୀଙ୍କ ଏହି ଦାବିକୁ ଖାରଜ କରିଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାରୀ ବାସଭବନ ଠିକଣା ଅନୁସାରେ ୧ ଜାନୁଆରୀ ୧୯୮୦ରେ ଭୋଟର ତାଲିକାରେ ସୋନିଆଙ୍କ ନାଁ ସାମିଲ ହୋଇଥିଲା। ଯଦିଓ ଏପ୍ରିଲ ୧୯୮୩ ପର୍ଯ୍ୟନ୍ତ ସେ ଭାରତର ନାଗରିକତା ପାଇନଥିବା ନେଇ ଅଭିଯୋଗକାରୀ ଦାବି କରିଥିଲେ।
ଏହା ପୂର୍ବରୁ ବିଜେପି ନେତା ଅମିତ ମାଲବ୍ୟ ମଧ୍ୟ ଦାବି କରିଥିଲେ ଯେ ୧୯୮୦ ରେ ଭୋଟର ତାଲିକା ସଂଶୋଧନ ସମୟରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଏବଂ ମେନକା ଗାନ୍ଧୀଙ୍କ ସହିତ ସୋନିଆ ଗାନ୍ଧୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ସେ ଭାରତୀୟ ନାଗରିକ ହେବାର ତିନି ବର୍ଷ ପୂର୍ବରୁ ତାଙ୍କ ପାଖରେ ଇଟାଲୀୟ ନାଗରିକତା ଥିବା ନେଇ ସେ ତାଙ୍କ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ସମାଲୋଚନା ପରେ ତାଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା ଓ ପରେ ପୁଣି ୧୯୮୩ ରେ ଅନ୍ତର୍ଭୁକ୍ତ କରାଯାଇଥିବା ସେ କହିଛନ୍ତି।
ଏହି ଭୋଟର ପଞ୍ଜିକରଣ ପ୍ରକ୍ରିୟାରେ ବିଜେପି ରାଜନୀତି କରିବାକୁ ଚାହୁଁଛି ଓ କୌଣସି ପ୍ରମାଣ ବିନା ବିରୋଧୀ ନେତାମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ନେଇ କଂଗ୍ରେସ ଦଳ ଅଭିଯୋଗ କରିଛି।
ଏହି ମାମଲାରେ ଆବେଦନକାରୀ ବିକାଶ ତ୍ରିପାଠିଙ୍କ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୭୫ (୪) ଅନୁଯାୟୀ ସୋନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ଓ ମାଜିଷ୍ଟ୍ରେଟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।
Comments are closed.