Latest Odisha News

BREAKING NEWS

ଶ୍ରୀମନ୍ଦିର ବାଇଶି ପାହାଚରେ ପଡ଼ି ମହିଳା ମୃତ

ପୁରୀ: ପିଣ୍ଡ ଦାନ କରିବାକୁ ଆସି ଶ୍ରୀମନ୍ଦିର ବାଇଶି ପାହାଚରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ବାଇଗିଣିଆ ଅଞ୍ଚଳର ଚୈତନ୍ୟ ସାହୁଙ୍କ ପତ୍ନୀ ମଞ୍ଜୁଲତା ସାହୁ । ସେ ପିତୃପକ୍ଷ ପିଣ୍ଡଦାନ କରିବା ନିମନ୍ତେ ଶ୍ରୀମନ୍ଦିରକୁ ଆସି ବାଇଶି ପାହାଚରେ ପିଣ୍ଡ ଦାନ କରିଥିଲେ ।

ଏହା ପରେ ମଧ୍ୟାହ୍ନରେ ଅଭଡ଼ା ଖାଇ ସାରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଭିତରକୁ ଯାଇଥିଲେ । ଶ୍ରୀମନ୍ଦିରରୁ ଦର୍ଶନ ସାରି ବାଇଶି ପାହାଚରେ ଫେରିବା ବେଳେ ହଠାତ୍ ମଞ୍ଜୁଲତାଙ୍କ ମୁଣ୍ଡ ବୁଲେଇ ହୋଇଥିଲା ଓ ସେ ପାହାଚ ଉପରେ ପଡ଼ି ଯାଇଥିଲେ ।

ସେଠାରେ ଉପସ୍ଥିତ ଥିବା ତାଙ୍କ ସ୍ଵାମୀ ଏବଂ ପୋଲିସ କର୍ମଚାରୀଙ୍କ ସହଯୋଗରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଖବର ପାଇ ସିଂହଦ୍ଵାର ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଛି ।

Comments are closed.