ଭୁବନେଶ୍ୱର: ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା । ଏନେଇ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବିଧାୟିକା ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକରାଜ୍ୟରେ ମହିଳାଙ୍କୁ ସୁରକ୍ଷା ପ୍ରଦାନ ଓ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ମହିଳାଙ୍କୁ ସୁରକ୍ଷା ପ୍ରଦାନ ଦାବିରେ, ସେପ୍ଟେମ୍ୱର ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଅଫିସ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ତରଫରୁ ଧାରଣା ଦିଆଯିବା ସହିତ ଏହି ସମ୍ୱନ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ ।
ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ଓ ମହିଳାଙ୍କୁ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବ୍ରହ୍ମଗିରିର ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରଚଣ୍ଡୀ ନିକଟ ଜଙ୍ଗଲରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିର ସଦ୍ୟତମ ନମୁନା । ଏହି ଘଟଣା ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି । ରାଜ୍ୟରେ ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଇତ୍ୟାଦି ଘଟଣା ଯେପରି ଥମିବାର ନାଁ ନେଉନାହିଁ । ଦୁଷ୍କର୍ମ ଓ ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବାରୁ, ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି ।
ଗୋପାଳପୁର ଘଟଣା ପରେ, ଆମେରିକା ତରଫରୁ ଜାରି କରାଯାଇଥିବା ଆଡ଼ଭାଇଜରିରେ ମହିଳା ସୁରକ୍ଷା ସ୍ଥିତି ଠିକ୍ ନଥିବା ଦର୍ଶାଇ ଓଡିଶା ସମେତ ୬ଟି ରାଜ୍ୟକୁ ତାଙ୍କ ଦେଶର ମହିଳା ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା । ସେହିପରି ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜାଜନକ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ଓଡିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା । କିନ୍ତୁ, ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲ୍ଲାରେ ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜୁ ମହିଳା ଜନତା ଦଳ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ।
Comments are closed.