ଭୁବନେଶ୍ୱର: ଓଡିଶାରେ କ୍ରମବର୍ଦ୍ଧିଷ୍ଣୁ ଲଜ୍ୟାଜନକ ଦୁଷ୍କର୍ମ ଘଟଣା ଗୁଡିକରେ ଯୋଡିହୋଇଛି ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ । ପୁରୀ ବାଲିହରଚଣ୍ଡୀ ପର୍ଯ୍ୟଟନ ସ୍ଥଳରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ପ୍ରଭାତୀ ପରିଡାଙ୍କ ଉପରେ ଦୋଷାରୋପ କରି କହିଛନ୍ତି ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ, ତାଙ୍କ ନିଜ ଜିଲ୍ଲା ପୁଣି ବାଲିହରଚଣ୍ଡି ଭଳି ଜନ ସମାଗମ ଲାଗି ରହିଥିବା ସ୍ଥାନରେ ମହିଳା ଆଜି ଅସୁରକ୍ଷିତ । ସରକାର ସୁରକ୍ଷା ଦେବାରେ ବିଫଳ ହୋଇଛି । ଦୁଷ୍କର୍ମର ମଣିପୁର ପାଲଟି ଯାଇଛି ଓଡିଶା, ସେପଟେ ଗୋଷ୍ଠୀଗତ ସମସ୍ୟାରେ ମଣିପୁର ଜଳୁଥିବାବେଳେ ଏପଟେ ନାରୀ ଦୁଷ୍କର୍ମରେ ଓଡିଶା ଜଳୁଛି ।
ସେ ଆହୁରି କହିଛନ୍ତି ଯେ, ବାଲିହରଚଣ୍ଡି ପର୍ଯ୍ୟଟନ ସ୍ଥଳୀରେ ଜଣେ ଛାତ୍ରୀଙ୍କୁ ଯୁବକ ବନ୍ଧୁଙ୍କୁ ବାନ୍ଧି ଛାତ୍ରୀଙ୍କୁ ଦିନ ଦ୍ବିପହରରେ ଦୁଷ୍କର୍ମ କରାଗଲା । ଅବଶ୍ୟ ପୋଲିସ କମ ସମୟ ମଧ୍ୟରେ ଅପରାଧୀଙ୍କୁ ଧରିଛି, ଯେଉଁମାନେ ପୋଲିସକୁ ସହାୟତା କରିଛନ୍ତି ସେମାନଙ୍କୁ ଧନ୍ୟବାଦ । କିନ୍ତୁ ସେଇ ସମାନ ଜିଲ୍ଲାର ବଳଙ୍ଗାରେ ଦୁର୍ବୃତ୍ତମାନେ ନାବାଳିକାକୁ ପୋଡିକି ମାରିଦେଲେ । କିନ୍ତୁ ପୋଲିସ ଅପରାଧୀଙ୍କୁ ଧରି ପାରିଲା ନାହିଁ । ବଲାଙ୍ଗୀରରେ ଖୋଦ ଜଣେ ବିଜେପି ଯୁବନେତା ଦୁଷ୍କର୍ମ କରିଛନ୍ତି ବୋଲି ପୀଡିତା ଅଭିଯୋଗ କରିଛନ୍ତି । ଶାସକ ଦଳର କର୍ମୀ କାହା ସାହସରେ ଏଭଳି ଦୁଷ୍କର୍ମ ଭଳି ଲଜ୍ୟାଜନକ କାର୍ଯ୍ୟ କରିବାକୁ ପଛାଇଲା ନାହିଁ, ଏହା ଅନୁସନ୍ଧାନର ବିଷୟ ।
ଅନ୍ୟ ଏକ ଘଟଣାରେ ମହିଳା କନେଷ୍ଟବଳ ଶୁଭମିତ୍ରା ଦୀର୍ଘ ୧୧ ଦିନ ହେଲା ନିଖୋଜ ଅଛନ୍ତି । ଖୋଦ ପୋଲିସ ବିଭାଗର କର୍ମୀ ହୋଇ ମଧ୍ୟ ତାଙ୍କୁ ନ ପାଇବା ପୋଲିସର ପାରିବା ପଣିଆ ଜଣାପଡୁଛି । ତେବେ ଏହା ପଛରେ ସରକାରଙ୍କ କିଛି ଷଡଯନ୍ତ୍ର ନାହିଁ ତ ବୋଲି ପ୍ରଶ୍ନ କରିବା ସହ ସଂଘମିତ୍ରାଙ୍କ ବାପା ସନ୍ଦେହ କରିଛନ୍ତି ଯେ, କମିଶନରେଟ ପୋଲିସ ଅଫିସର ଆକାଉଣ୍ଟସ ବିଭାଗରେ କାମ କରୁଥିବା ଜଣେ କର୍ମୀ ତାଙ୍କ ଝିଅଙ୍କ ନିଖୋଜ ପାଇଁ ଦାୟୀ । ସଂଘମିତ୍ରା ଘଟଗାଁ ତାରିଣୀ ଯାଇଥିବା ମଧ୍ୟ ତାଙ୍କ ବାପା ପ୍ରକାଶ କରିଛନ୍ତି । ତେବେ ଏତେ ସବୁ ପ୍ରମାଣ ଥାଇ ସୁଦ୍ଧା ପୋଲିସ କାହିଁକି ନିଖୋଜ ସଂଘମିତ୍ରାଙ୍କୁ ଖୋଜି ପାରୁନି । କଣ କିଛି ଲୁଚେଇବା ପାଇଁ ସରକାର ଷଡଯନ୍ତ୍ର କରୁନାହିଁ ତ ବୋଲି ଗଣମାଧ୍ୟମ ଆଗରେ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ପୁଣି ସେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ାଙ୍କୁ ପ୍ରଶ୍ନ ପଚାରିଛନ୍ତି, ଆପଣଙ୍କ ହାପ ପ୍ୟାଣ୍ଟ ପିନ୍ଧା ଠେଙ୍ଗା ବାହିନୀ ଓ ଏକାମ୍ରର ଥିବା ଠେଙ୍ଗା ବାହିନୀ ନାରୀ ଅସୁରକ୍ଷିତ ଥିବାବେଳେ କୁଆଡେ ଯାଇଛନ୍ତି?
Comments are closed.