Latest Odisha News

BREAKING NEWS

Silver Purity Measurement: ସୁନାକୁ କ୍ୟାରେଟରେ ମପାଯାଏ, ରୁପାର ଶୁଦ୍ଧତା କିପରି ମପାଯାଏ ଜାଣନ୍ତି କି?

ନୂଆଦିଲ୍ଲୀ: ଆଜିକା ଦିନରେ ସାରା ବିଶ୍ୱରେ ସୁନା ଦର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯେବେଠାରୁ ସୁନା ଦାମ ବଢିଲାଣି ଲୋକେ ରୁପା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଆଜିକାଲି ସୁନା ଓ ରୁପା ପ୍ରତି ଲୋକଙ୍କ ଚାହିଦା ବଢିବାରେ ଲାଗିଛି। ଲୋକମାନେ ସବୁବେଳେ ସୁନା ଓ ରୁପା ପ୍ରତି ଆଗ୍ରହୀ। ଯେତେବେଳେ କେହି ଅଳଙ୍କାର କିଣିବାକୁ ଯାଆନ୍ତି, ପ୍ରଥମ ପ୍ରଶ୍ନ ଉଠେ ଯେ ଧାତୁରେ କେତେ ଶୁଦ୍ଧତା ଅଛି।

ଲୋକମାନେ ସାଧାରଣତଃ ଜାଣନ୍ତି ଯେ ସୁନାର ଶୁଦ୍ଧତା କ୍ୟାରେଟରେ ମାପ କରାଯାଏ, କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ରୁପାର ଶୁଦ୍ଧତା କେଉଁ ମାପରେ ନିର୍ଣ୍ଣୟ କରାଯାଏ। ଏହି କାରଣରୁ ଗ୍ରାହକମାନେ ରୁପା କିଣିବା ସମୟରେ ପ୍ରାୟତଃ ଦ୍ୱନ୍ଦ୍ୱର ସମ୍ମୁଖୀନ ହୁଅନ୍ତି। ତେବେ ଆସନ୍ତୁ ଜାଣିବା ରୁପାର ଶୁଦ୍ଧତା କିପରି ମାପ କରାଯାଏ।

ସୁନାର ଶୁଦ୍ଧତା କ୍ୟାରେଟରେ ମପାଯାଏ। ଶୁଦ୍ଧ ସୁନା ହେଉଛି ୨୪ କ୍ୟାରେଟ, ଯାହାର ଅର୍ଥ ଧାତୁଟି ୯୯.୯ ପ୍ରତିଶତ ଶୁଦ୍ଧ ସୁନା। ସେହିପରି, ୨୨ କ୍ୟାରେଟ (୯୧.୬% ଶୁଦ୍ଧ), ୧୮ କ୍ୟାରେଟ (୭୫% ଶୁଦ୍ଧ), ଏବଂ ୧୪ କ୍ୟାରେଟ (୫୮.୫% ଶୁଦ୍ଧ)। ଆଉ ଏହି ମାପ ସୁନା ଅଳଙ୍କାର ପାଇଁ ପ୍ରଚଳିତ। କ୍ୟାରେଟ ପ୍ରଣାଳୀ ଧାତୁରେ ଉପସ୍ଥିତ ସୁନା ଏବଂ ଅନ୍ୟାନ୍ୟ ମିଶ୍ରଧାତୁର ଅନୁପାତକୁ ସୂଚିତ କରେ। ଏହା ସୂଚିତ କରେ ଯେ ଅଳଙ୍କାରରେ କେତେ ସୁନା ଏବଂ ଅନ୍ୟାନ୍ୟ ଧାତୁ ଉପସ୍ଥିତ ରହିଛି।

ରୁପାର ଶୁଦ୍ଧତା କ୍ୟାରେଟରେ ମପାଯାଏ ନାହିଁ, ବରଂ ଏକ ସୂକ୍ଷ୍ମତା ସଂଖ୍ୟା ବା ଫାଇନନେସ ନମ୍ବର କିମ୍ବା ହଲମାର୍କ ଦ୍ୱାରା ମପାଯାଏ। ସୂକ୍ଷ୍ମତାର ଅର୍ଥ ହେଉଛି ୧ ହଜାରରୁ କେତେ ଅଂଶ ଶୁଦ୍ଧ ରୁପା ରହିଛି। ଉଦାହରଣ ସ୍ୱରୂପ, ୯୯୯ ସୂକ୍ଷ୍ମତାରେ ୯୯.୯% ଶୁଦ୍ଧ ରୁପା, ୯୫୮ ସୂକ୍ଷ୍ମତାରେ ୯୫.୮% ଶୁଦ୍ଧ ରୁପା ଏବଂ ୯୨୫ ସୂକ୍ଷ୍ମତାରେ ୯୨.୫% ଶୁଦ୍ଧ ରୂପା ଥାଏ ବା ଏହାକୁ ଷ୍ଟର୍ଲିଂ ରୁପା କୁହାଯାଏ।

୯୦୦, ୮୩୫, ଏବଂ ୮୦୦ ସୂକ୍ଷ୍ମତା ସହିତ ରୁପା ମଧ୍ୟ ଉପଲବ୍ଧ। ଭାରତରେ, ଅଳଙ୍କାର ଏବଂ ବାସନକୁସନ ପାଇଁ ସର୍ବାଧିକ ୯୨୫ ସୂକ୍ଷ୍ମତା ଥିବା ରୁପା ବ୍ୟବହୃତ ହେଉଛି। ଏଥିରେ ୯୨.୫% ଶୁଦ୍ଧ ରୁପା ଏବଂ ୭.୫% ଅନ୍ୟାନ୍ୟ ଧାତୁ (ଯେପରିକି ତମ୍ବା) ମିଶ୍ରିତ ହୋଇ ଧାତୁକୁ ଦୃଢ଼ ଏବଂ ସ୍ଥାୟୀ କରିଥାଏ। ଭାରତରେ, ଭାରତୀୟ ମାନକ ବ୍ୟୁରୋ (BIS) ହଲମାର୍କିଂକୁ ବାଧ୍ୟତାମୂଳକ କରିଛି। ରୁପାରେ ଥିବା ହଲମାର୍କ ଧାତୁର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ।

 

Comments are closed.