କଟକ: ଚୌଦ୍ବାର ଥାନାରେ ଅଟକ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୩ ପୋଲିସ ସସପେଣ୍ଡ। ଥାନା ଅଧିକାରୀ , ଏସଆଇ ଓ କନେଷ୍ଟବଳ ନିଲମ୍ବିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ବାର ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ପାହ୍ୟାର ଅଫିସର ବିଶ୍ବରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଥାନା ଏସଆଇ ନିରଞ୍ଜନ ଗୋଡ଼ା ଓ କନେଷ୍ଟବଳ କମଳଲୋଚନ ମାଝି ମଧ୍ୟ ନିଲମ୍ବିତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକଙ୍କ ଥାନାରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା।
ଗତକାଲି ରାତିରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲା ଚୌଦ୍ବାର ପୋଲିସ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ଏକ ଗାଡ଼ି ଚୋରି ମାମଲାରେ ଅଟକ ରଖିଥିଲା ପୋଲିସ। ଗତକାଲି ଠାରୁ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ପୋଲିସ। ରସାନନ୍ଦଙ୍କୁ ପୋଲିସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ତେବେ ହତ୍ୟା ନା ଜୀବନ ହାରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି ଏହି ଘଟଣାରେ ଯେଉଁ ଅଫିସରଙ୍କ କର୍ତ୍ତବ୍ୟରେ ଅବହେଳା ନେଇ ପ୍ରମାଣ ମିଳିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଡିସିପି ସୂଚନା ଦେଇଥିଲେ।
Comments are closed.