Latest Odisha News

BREAKING NEWS

ସ୍ବାମୀଙ୍କୁ ନିଃସର୍ତ୍ତ ମୁକ୍ତି ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ

ଲଦାଖ: ଲଦାଖର ପରିବେଶ କର୍ମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଗିରଫଦାରି ପରେ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସ୍ୱାମୀଙ୍କ ନିଃସର୍ତ୍ତ ମୁକ୍ତି ଦାବି କରିଛନ୍ତି।

ଗୀତାଞ୍ଜଳି ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଚିଠି ପଠାଇଛନ୍ତି।ୱାଙ୍ଗଚୁକ ଜଣେ ‘ଶାନ୍ତିପୂର୍ଣ୍ଣ ଗାନ୍ଧୀବାଦୀ କର୍ମୀ’ ବୋଲି ସେ କହିଛନ୍ତି। ତାଙ୍କୁ ଗତ ସପ୍ତାହରେ ଲେହରେ ଏକ ବିକ୍ଷୋଭ ସମୟରେ ଗିରଫ କରାଯାଇଥିଲା। ବିକ୍ଷୋଭକାରୀ ମାନେ ଲଦାଖ ପାଇଁ ଷଷ୍ଠ ଅନୁସୂଚୀ ମାନ୍ୟତା ଏବଂ ରାଜ୍ୟ ମାନ୍ୟତା ଦାବି କରିଥିଲେ। ଯାହାପରେ ସରକାର ତାଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ (NSA) ଲାଗୁ କରି ତାଙ୍କୁ ଯୋଧପୁର କେନ୍ଦ୍ରୀୟ କାରାଗାରକୁ ପଠାଇ ଦେଇଥିଲେ।

ୱାଙ୍ଗଚୁକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ “ଡାଇନୀ ହଣ୍ଟ” (ରାଜନୈତିକ ନିର୍ଯାତନା) ବୋଲି କହିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ଜଣେ ପୋଲିସ ଅଧିକାରୀ ତାଙ୍କୁ ଜଣାଇଥିଲେ ଯେ ତାଙ୍କ ସ୍ୱାମୀଙ୍କୁ NSA ଅଧୀନରେ ଅଟକ ରଖାଯାଇଛି। ପୋଲିସ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ସତ୍ୱେ ମଧ୍ୟ ଯୋଧପୁର ପହଞ୍ଚିବା ପରେ ସ୍ବାମୀଙ୍କ ସହ ତାଙ୍କର ସାକ୍ଷାତ କରେଇ ଦେଲେନି ବୋଲି ସେ ଦାବି କରିଥିଲେ।

ଏଥିସହିତ ଗୀତାଞ୍ଜଳୀଙ୍କୁ ତାଙ୍କ ଗାଁ ଫୟାଙ୍ଗରେ CRPF ନଜରରେ ରଖାଯାଇଛି। ତାଙ୍କ ପ୍ରତିଷ୍ଠାନ, ହିମାଳୟନ ଇନଷ୍ଟିଚ୍ୟୁଟ୍ ଅଫ୍ ଅଲଟରନେଟିଭ୍ସ ଲଦାଖ (HIAL) ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ଟାର୍ଗେଟରେ ରହିଅଛି। ଏପରିକି ଗତ ତିନି ଦିନ ମଧ୍ୟରେ ତାଙ୍କର ଦୁଇ ସହକର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସେ କହିଛନ୍ତି।

ଅପରପକ୍ଷରେ ଚିଠିରେ ସେ ଲେଖିଛନ୍ତି ଯେ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିବା ସମୟରେ ତାଙ୍କ ପୋଷାକ ଏବଂ ଔଷଧ ନେବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। ତେବେ ସୋନମ୍ ସେପ୍ଟେମ୍ବର ମାସରେ ୧୫ ଦିନର ଉପବାସ କରିଥିଲେ। ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ଔଷଧ ଏବଂ ମୌଳିକ ସୁବିଧା ମିଳିବା ନିହାତି ଆବଶ୍ୟକ ବୋଲି ୱାଙ୍ଗଚୁକଙ୍କ ସ୍ତ୍ରୀ କହିଛନ୍ତି।

ଏଥିସହିତ ରାଷ୍ଟ୍ରପତିଙ୍କୁ ଚିଠିରେ ସେ ଲେଖିଛନ୍ତି ଯେ ଆପଣ ମଧ୍ୟ ଜଣେ ଆଦିବାସୀ ଓ ଏକ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି। ତେଣୁ ଆପଣ ଲଦାଖର ଲୋକଙ୍କ ଭାବନାକୁ ଅନ୍ୟମାନଙ୍କ ଅପେକ୍ଷା ଭଲ ଭାବରେ ବୁଝିପାରିବେ। ତେବେ ତାଙ୍କ ସ୍ୱାମୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବାର ଅଧିକାର ଅଛି କି ନାହିଁ ବୋଲି ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କରିଛନ୍ତି।

 

Comments are closed.