ସମ୍ବଲପୁର: କଟକ ଅଶାନ୍ତି ପରେ ସମ୍ବଲପୁରରେ ହାଇଆଲର୍ଟ। ସହରର ପ୍ରବେଶ ପଥକୁ ନାକାବନ୍ଦୀ କରାଯାଇଛି। ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଜଣା ତଥା ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ଟୋଲ୍ଗେଟ୍ରେ ପାଟ୍ରୋଲିଂ ଟିମ୍କୁ ନିୟୋଜିତ କରାଯାଇଛି।
ସେହିପରି ସହରର ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ହୋଇଛି। ଦଙ୍ଗା ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ୍ ଫୋର୍ସକୁ ମଧ୍ୟ ସଜାଗ କରି ସହର ମଧ୍ୟରେ ରଖାଯାଇଛି। ସହରର ବିଭିନ୍ନ ସ୍ଥାନରେ ଆଉ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ସମ୍ବଲପୁରର ସୁରକ୍ଷା ବ୍ୟବସ୍ଥା ବ୍ୟାପକ ବୃଦ୍ଧି କରାଯିବା ସହ ସମସ୍ତ ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି ମୁକେଶ ଭାମ।
ସମ୍ବଲପୁର ଏସ୍ପିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ, ସହରର ୫ଟି ସ୍ଥାନରେ ୨୪ ଘଣ୍ଟିଆ ପହରା ଦିଆଯାଉଛି । ଏସ୍ଆଇ, ଏଏସ୍ଆଇଙ୍କ ଅଧିନରେ ଏହି ଟିମ୍ ଲୋକଙ୍କ ଗତିବିଧି ଉପରେ ନଜର ରଖିବ । ସେହିଭଳି ଜିଲ୍ଲା ସ୍କୁଲ ଛକ-ପେନସନପଡ଼ା-ପୀରବାବା ଛକ-ମ୍ୟୁନିସପାଲଟି ଛକ- ଦଲେଇପଡ଼ା-ଟିନବାଡ଼ି, ମୁଦିପଡ଼ା ଅଞ୍ଚଳରେ ପାଟ୍ରୋଲିଂ ଗାଡ଼ି ପଇଁତରା ମାରିବ । ଆଉ ଗୋଟିଏ ଗାଡ଼ି ଭୁତାପଡ଼ା-ମୋତିଝରଣ-ସୁନାପାଲି-ଖେତିପଡ଼ା-ଧନକଉଡ଼ା-ସାକ୍ଷୀପଡ଼ା ଅଞ୍ଚଳରେ ପାଟ୍ରୋଲିଂ କରିବ । ମନ୍ଦିର, ମସଜିଦ ଥିବା ସ୍ଥାନରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments are closed.