Latest Odisha News

BREAKING NEWS

୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ କଳିଙ୍ଗ ଷ୍ଟାଡ଼ିୟମରେ ହେବ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟରରେ କରାଯିବ।

ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଦୀର୍ଘ ୧୬ ବର୍ଷ ପରେ ଭାରତରେ ଏସୀୟ ଟେବୁଲ ଟେନିସ୍‌ ଚାମ୍ପିୟନସିପର ଆୟୋଜନ କରାଯାଉଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ଆୟୋଜିତ ହେଉଛି।

୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପରେ ପ୍ରାୟ ୨୨ଟି ଦେଶ ଯଥା ଭାରତ, ଚୀନ, ଜାପାନ, କୋରିଆ ରିପବ୍ଲିକ, ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ତାଇୱାନ, ହଙ୍ଗକଙ୍ଗ, ସିଙ୍ଗାପୁର, ଚାଇନିଜ ମକାଓ, ବାଙ୍ଗଲାଦେଶ, ଇରାନ, କଜାକିସ୍ତାନ, କିର୍ଗୀସ୍ତାନ, ମାଲେସିଆ, ମାଳଦୀପ, ମଙ୍ଗୋଲିଆ, ନେପାଳ, ଓମାନ, କତାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜବେକିସ୍ତାନରୁ ୫୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌, ସପୋର୍ଟ ଷ୍ଟାଫ ଆଦି ଅଂଶଗ୍ରହଣ କରିଛନ୍ତି। ଉଭୟ ପୁରୁଷ ଓ ମହିଳା ଟିମ୍ ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ କରୁଛନ୍ତି। ଏହି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟିମ୍ ଗୁଡ଼ିକ ଆଗାମୀ ଦିନରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ଆଇଆଇଟିଏଫ ୱାର୍ଲଡ଼ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍-୨୦୨୬ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଟପ୍ ରାଙ୍କିଙ୍ଗ ଟେବୁଲ ଟେନିସ୍‌ ଖେଳାଳୀମାନେ ଏହି ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍‌ରେ ଅଂଶ ଗ୍ରହଣ କରିଛନ୍ତି। ଭାରତରୁ ମହିଳା ବିଭାଗରେ ଶ୍ରୀଜା ଅକୁଲା, ମନିକା ବତ୍ରା, ଦିୟା ଚିତଲେ, ଯଶସ୍ଵିନୀ ଘୋରପଡ଼େ, ସ୍ୱସ୍ତିକା ଘୋଷ ଏବଂ ପୁରୁଷ ବିଭାଗରେ ଅଙ୍କୁର ଭଟ୍ଟାଚାର୍ଯ୍ୟ, ପୟାସ ଜୈନ୍‌, ମାନୁଷ ଶାହା, ସ୍ନେହିତ ସୁରବଜ୍ଜୁଲା, ମାନବ ଠକ୍କର ଆଦି କ୍ରୀଡାବିତ୍‌ ଅଂଶଗ୍ରହଣ କରିଛନ୍ତି। ଇତି ମଧ୍ୟରେ ବିଭିନ୍ନ ଦେଶରୁ କ୍ରୀଡ଼ାବିତ୍‌ମାନେ ଆସି ଭୁବନେଶ୍ଵର ଠାରେ ପହଞ୍ଚିଛନ୍ତି। ଖେଳାଳୀମାନେ ପ୍ରତିଯୋଗିତା ପାଇଁ ନିଜର ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି।

ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ ଦ୍ୱାରା ସ୍ୱୀକୃତ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା, କ୍ରୀଡ଼ାବିତ୍‌ମାନଙ୍କର ଆତିଥ୍ୟ, ରହଣି ଓ ସୁରକ୍ଷା ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରାଯାଇଛି। ଏଥିସହିତ ବିଗତ ଅକ୍ଟୋବର ୬ ତାରିଖରେ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ଟ୍ରଫି ଅନାବରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମହାବିଦ୍ୟାଳୟ, ସପିଙ୍ଗ ମଲ୍ ଆଦିରେ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବୁକ୍ ମାଇ ସୋ (Book My Show) ୱେବସାଇଟରେ ମଧ୍ୟ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ାପ୍ରେମୀ ଓ ଦର୍ଶକମାନେ ବୁକ୍ ମାଇ ସୋ ୱେବସାଇଟକୁ ଯାଇ ଏସୀୟ ଟେବୁଲ ଟେନିସ୍ ଚାମ୍ପିୟନସିପ୍ ଦେଖିବା ପାଇଁ ନିଜର ଟିକେଟ ବୁକ୍ କରିପାରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ।

ଏଥିସହିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆଜିଠାରୁ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ଆସନ୍ତା ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା ସର୍ବମୋଟ ୭୫ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରେ ଏକା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ବିଗତ ଅଗଷ୍ଟ ମାସରେ ଭାରତର ପ୍ରଥମ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜର ଆୟୋଜନ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମରେ ସଫଳତାର ସହ କରାଯାଇଥିଲା। ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଠାରୁ ନେଇ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରିବା ସହ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି କ୍ରୀଡ଼ାମନ୍ତ୍ରୀ ମତପ୍ରକାଶ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଏସିଆ ଟେବୁଲ ଟେନିସ୍‌ ୟୁନିୟନ୍‌ର ରିଜନାଲ ଭାଇସ୍‌ ପ୍ରେସିଡ଼େଣ୍ଟ ଶେଖ୍ ହୟାତ୍ ଅଲ୍ ଖଲିଫା, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଏନ. ଗଣେଶନ, ଅଲମ୍ପିୟାନ୍‌ ତଥା ପଦ୍ମଶ୍ରୀ ଅଚନ୍ତା ଶରତ କମଲ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.