ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଓ ଏହା ପାଖାପାଖି ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ। ରାଜ୍ୟର କିଛି ସ୍ଥାନରୁ ମୌସୁମୀ ବିଦାୟ ନେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ତେବେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମେଘୁଆ ପାଗ ସହ କିଛି ସ୍ଥାନରେ ଲାଗି ରହିଛି ବର୍ଷା।
ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ଜନିତ ବର୍ଷା ହେବ । ବିଶେଷକରି ଉପକୂଳ ଓ ଉତ୍ତର-ଆଭନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଜି ଦକ୍ଷିଣ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ କାଁ ଭାଁ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅପରପକ୍ଷେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟିହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଏହା ପାଖାପାଖି ଜିଲାଗୁଡିକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ସବୁ ଅଞ୍ଚଳରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ କିଛି ସ୍ଥାନରେ ଝଟ୍କା ପବନ ବହିବା ନେଇ ସୂଚନା ଦିଆଯାଇଛି। ଶନିବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉତ୍ତର ଉପକୂଳବର୍ତ୍ତୀ ଏବଂ ପାଖାପାଖି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.