Latest Odisha News

BREAKING NEWS

ରାଜ୍ୟରୁ ଫେରିଯିବ ମୌସୁମୀ; ବିଭିନ୍ନ ସ୍ଥାନରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ଆଉ ବଡ ବର୍ଷା ସମ୍ଭାବନା ନାହିଁ । ଗତ ଦୁଇ ଦିନ ହେବ ରାଜ୍ୟରୁ ବର୍ଷା ପରିମାଣ କମିଯାଇଛି । ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ମୌସୁମୀ ଫେରିଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ ।

ଏହି ସମୟରେ ରାତିରେ କାକର ପଡ଼ିବା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ । କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ ରହିବ । ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ହେତୁ କାକର ସହ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ତେବେ ଆଗାମୀ ଦୁଇଦିନ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ହାଲୁକା ମଧ୍ୟମ ଧରଣର ବର୍ଷା ହେବ । ସୋମବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ଘଡ଼ଘଡ଼ି, ବିଜୁଳି ସହିତ ଝଡ଼ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ୩୦-୪୦ କିମି ବେଗରେ ବୋହିବାର ସମ୍ଭାବନା ରହିଛି ।

ସେହିପରି ମଙ୍ଗଳବାର ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାରେ ଝଡବର୍ଷା ନେଇ ସତର୍କ କରାଯାଇଛି ।

 

Comments are closed.