Latest Odisha News

BREAKING NEWS

ମୁଁ ଯୁଦ୍ଧ ସମାଧାନ କରିବାରେ ସିଦ୍ଧହସ୍ତ: ଟ୍ରମ୍ପ୍ 

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦାବି କରିଛନ୍ତି।

ତେବେ ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ ଟ୍ରମ୍ପ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ବୟାନ ଦେଇଥିଲେ।

ଗାଜା ଯୁଦ୍ଧବିରତିର ସମାଧାନକୁ ନେଇ ମଧ୍ୟ ଟ୍ରମ୍ପ ଦାବି କରି କହିଥିଲେ, ଏହା ହେଉଛି ସେ ସମାଧାନ କରିଥିବା ଅଷ୍ଟମ ଯୁଦ୍ଧ। ବର୍ତ୍ତମାନ ସେ ଅନ୍ୟ ଏକ ଯୁଦ୍ଧର ମଧ୍ୟ ସମାଧାନ କରୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଚାଲିଥିବା ଉତ୍ତେଜନାର ସମାଧାନ ପାଇଁ ତାଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏଥିସହିତ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଦୀର୍ଘକାଳୀନ ବିବାଦ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଉଭୟ ଦେଶ ମଧ୍ୟରେ ୩୫-୩୭ ବର୍ଷ ଧରି ଚାଲିଥିବା ଉତ୍ତେଜନାରେ ଅନେକ ନିରୀହ ଲୋକ ମୃତ୍ୟୁ ବରଣ କରିଥିଲେ। ଆଉ ସେ ଗୋଟିଏ ଦିନ ମଧ୍ୟରେ ଅଧିକାଂଶ ସମସ୍ୟାର ସମାଧାନ କରିଦେଇଥିବା କହିଛନ୍ତି।

ତେବେ ଏପରି ପ୍ରୟାସ ସେ କୌଣସି ବ୍ୟକ୍ତିଗତ ସ୍ୱୀକୃତି କିମ୍ବା ପୁରସ୍କାର ପାଇଁ କରୁନାହାନ୍ତି ବରଂ ଏପରି କରି ସେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବା କହିଛନ୍ତି।

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପରେ ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ହ୍ୱାଇଟ୍ ହାଉସ୍ ନୋବେଲ ଶାନ୍ତି ପୁରସ୍କାର କମିଟିକୁ ସମାଲୋଚନା କରି ଟ୍ରମ୍ପଙ୍କ ଅବଦାନକୁ ଅଣଦେଖା ନେଇ ଅଭିଯୋଗ କରିଥିବା ସୂତ୍ରରୁ ଜଣାପଡ଼ିଛି।

ଚଳିତ ବର୍ଷ ୨୦୨୫ ପାଇଁ ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ଯାହା ପରେ ଟ୍ରମ୍ପଙ୍କର ଏପରି ପ୍ରତିକ୍ରିୟା ଆସିଥିବା କୁହାଯାଉଛି।

 

Comments are closed.