ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳି ମା’ମାନଙ୍କ ଆଲୋଚନା କରିଥିଲେ।
ଏହି ଅବସରରେ ସେ କହିଥିଲେ ଯେ ହବିଷ୍ୟାଳି ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଓ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ। କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ ଭାବରେ ଓଡ଼ିଆ ସଂସ୍କୃତିରେ ବିଶେଷ ଗୁରୁତ୍ୱ ରଖେ। ଓଡ଼ିଆ ମା’ମାନେ ଶତାବ୍ଦୀ ଧରି ହବିଷ ପାଳନ କରି ଆସୁଛନ୍ତି ଓ ଏହି ପାରମ୍ପରିକତା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିିଥିଲେ ଯେ ଆଗାମୀ ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ସମର୍ପିତ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ। ଯେଉଁଥିରେ ଚିକିତ୍ସା ଓ ଜରୁରୀ ସେବା ଉପଲବ୍ଧ ରହିବ। ପୁରୀ କେବଳ ଏକ ଧର୍ମୀୟ ସ୍ଥାନ ନୁହେଁ, ଏହା ଓଡ଼ିଆ ଭକ୍ତି ଓ ଆସ୍ଥାର ପ୍ରତୀକ। ସରକାର ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ସହରକୁ ମହାନଗର ନିଗମ ଭାବେ ଘୋଷଣା ତାହାର ପ୍ରଥମ ପଦକ୍ଷେପ।
ହବିଷ୍ୟାଳି ମା’ମାନଙ୍କ ଭକ୍ତି ଓ ପ୍ରାର୍ଥନା ଓଡ଼ିଶାକୁ ଆଶୀର୍ବାଦ କରିବ ଏବଂ ସମାଜକୁ ଶାନ୍ତି ପଥରେ ଆଗେଇ ନେବ। ଚଳିତ ବର୍ଷ ପ୍ରାୟ ୨ ହଜାର ୫୦୦ ହବିଷ୍ୟାଳି ମା’ମାନଙ୍କ ପାଇଁ ସରକାର ପକ୍ଷରୁ ୫ଟି ନିର୍ଦ୍ଧାରିତ ସ୍ଥଳରେ ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଓ ଏହା ଗତ ବର୍ଷ ତୁଳନାରେ ୭୦ ଲକ୍ଷ ଅଧିକ ଥିବା ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇଥିଲେ।
ସେ ଆହୁରି କହିଥିଲେ ଯେ କାର୍ତ୍ତିକ ବ୍ରତ ହବିଷ୍ୟାଳି ଯୋଜନାକୁ ନିରନ୍ତର ସୁଦୃଢ଼ କରାଯାଉଛି ଏବଂ ସମସ୍ତ ସ୍ଥାନରେ ସ୍ୱେଚ୍ଛାସେବୀ, ପୋଲିସ, ଡାକ୍ତର ଓ ସହାୟତାର ବ୍ୟବସ୍ଥା ହୋଇଛି। ଯାହା ହବିଷ୍ୟାଳି ମା’ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆବଶ୍ୟକ।
ପରେ ସେ ସମସ୍ତ ହବିଷ୍ୟାଳି ମା’ମାନଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେମାନଙ୍କ ସହ ଫଟୋ ଉଠାଇବା ସହିତ ମାଆ ମାନଙ୍କ ସୁବିଧା ଅସୁବିଧା ବୁଝି କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ସଦର ବିଧାୟକ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.