ନୂଆଦିଲ୍ଲୀ: ଏସିଆ କପ ଟ୍ରଫି ଶୀଘ୍ର ଦେବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏସିଆନ କ୍ରିକେଟ କାଉନସିଲ ମୁଖ୍ୟ ମୋହସିନ ନକବୀଙ୍କ ନିକଟକୁ ପତ୍ର ଲେଖିଛି । ଯଦି ଏହାର ଶୀଘ୍ର ସମାଧାନ ନ ହେବ ତାହାହେଲେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ ଏହି ମାମଲା ଉଠାଯିବ ବୋଲି ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି । ଆମେ ଏବେ କେବଳ ନକଭିଙ୍କ ଉତରକୁ ଅପେକ୍ଷା କରିଛୁ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୮ରେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଏସିଆ କପ ଟ୍ରଫି ଜିତିଥିଲା । ଭାରତୀୟ ଟିମ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରି ଦେଇଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଟିମ ଇଣ୍ଡିଆ ଏହି ପଦକ୍ଷେପ ଗ୍ରହଣ କରିଥିଲା । ଏହା ପରେ ନକଭି ଟ୍ରଫି ନେଇ ଦୁବାଇ ହୋଟେଲକୁ ପଳାଇ ଯାଇଥିଲେ ।
ଭାରତର ଅଭିଯୋଗକ୍ରମେ ସେ ଟ୍ରଫି ଏସିସି ଅଫିସରେ ଛାଡିଥିଲେ । ମୋ ଅନୁମତି ବିନା ଏହି ଟ୍ରଫି କାହାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ । ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯଦି ଚାହିଁବେ ଏସିସି ଅଫିସ ଆସି ମୋ ହାତରୁ ଟ୍ରଫି ନେଇପାରିବେ । ଏସିସି ଚେୟାରମ୍ୟାନ ଭାବେ ମୁଁ ପୁରସ୍କାର ବିତରଣ ସମାରୋହକୁ ଆସିଥିଲି । ଭାରତୀୟ ଦଳ ତାଙ୍କ ହାତରୁ ଟ୍ରଫି କିମ୍ବା ପଦକ ନେଇ ନ ଥିଲେ । ମୋତେ ଜୋକର ଭାବେ ଛିଡା ହେବାକୁ ପଡିଥିଲା ବୋଲି ନକଭି କହିଥିଲେ ।
Comments are closed.