ନୂଆପଡା: ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା’ ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର ଶାନ୍ତି, ଉନ୍ନତି ଓ ସମୃଦ୍ଧି ପାଇଁ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତଥା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ବଡ଼ ବ୍ୟବଧାନରେ ବିଜେଡିର ବିଜୟ ପାଇଁ ଆହ୍ୱାନ ଜଣାଇଥିଲେ ।

ବିପୁଳ ଜନସମାଗମକୁ ସମ୍ୱୋଧିତ କରି ଛୁରିଆ କହିଥିଲେ ଯେ ନୂଆପଡ଼ାର ସାମଗ୍ରୀକ ବିକାଶ ପାଇଁ ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ ହେଲା । ସେ କହିଥିଲେ ଯେ, “ବିଜୁ ଜନତା ଦଳ ସଦା ସେବା ଓ ଲୋକକଲ୍ୟାଣ ପାଇଁ କାମ କରୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମର ସ୍ୱାର୍ଥ ବିହୀନ ସେବା ଓ ଜନକଲ୍ୟାଣ ଧାରା ଜାରି ରହିଛି । ବିଜୁ ପଟ୍ଟନାୟକଙ୍କ ଶାସନକାଳରେ ନୂଆପଡ଼ା ଏକ ଜିଲ୍ଲାର ମାନ୍ୟତା ପାଇଥିଲା । ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱକୁ ଆଜି ମଧ୍ୟ ନୂଆପଡ଼ାବାସୀ ସମ୍ମାନର ସହ ସ୍ମରଣ କରି ଆସୁଛନ୍ତି ।
ସଭାରେ ବକ୍ତବ୍ୟ ରଖି ଦଳର ନେତୃବୃନ୍ଦ ବିଜେପି ନେତୃତ୍ୱର “ଡବଲ୍ ଇଞ୍ଜିନ୍ ସରକାର” ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ଯେ ଗତ ୧୬ ମାସ ଧରି ଏହି ସରକାର ନୂଆପଡ଼ାରେ “ଡବଲ୍ ଧ୍ୱଂସ” ଲୀଳା ଚଳାଇଛି । ବିଜେପି ସରକାର ଜନସାଧାରଣଙ୍କ ଆକାଂକ୍ଷା ପୂରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଜିଲ୍ଲାବାସୀଙ୍କ ଆଶା ଓ ଆକାଂକ୍ଷା ପ୍ରତି ବିଜେପି ସରକାର କୁଠାରଘାତ କରିବା ସହିତ ମୌଳିକ ଭିତ୍ତିଭୂମି, ଜନକଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିକାଶମୂଳକ ଯୋଜନାକୁ ଅଟକାଇଛି । ଜିଲ୍ଲାବାସୀଙ୍କ ଜୀବନଜୀବିକା ଘୋର ବିପଦରେ ପଡ଼ିଛି । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଅବନୀ ରଞ୍ଜନ ଜୋଷୀ (ଜିଲ୍ଲା ସଭାପତି, ବିଜେଡି ନୂଆପଡା), ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ମନୋଜ ମିଶ୍ର (ସାଧାରଣ ସମ୍ପାଦକ) ଓ ବରିଷ୍ଠ ନେତା ଭାନୁ ପ୍ରତାପ ସିଂହ ମାଝୀ ପ୍ରମୁଖ ଉଦ୍ବୋଧନ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଲାଗି ଆହ୍ୱାନ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ନୂଆପଡ଼ାର ଲୋକମାନେ ବିଜେପି ସରକାରର ଅପାରଗତା ଓ ସମ୍ୱେଦନହୀନତାର ଫଳ ଭୋଗୁଛନ୍ତି । ବରିଷ୍ଠ ବିଜେଡି ନେତା ରମେଶ ମାଝୀ, ମନୋହର ରନ୍ଧାରୀ, ରମେଶ ବେହେରା, ବିଜୟ ନାୟକ, ସରସ୍ୱତୀ ବାଗ ଓ ସେଫାନଲି ଶର୍ମା ଉପସ୍ଥିତ ରହି ଛୁରିଆଙ୍କ ବିଜୟ ନେଇ ବିଶ୍ୱାସବ୍ୟକ୍ତ କରିଥିଲେ ।
ଏହା ପୂର୍ବରୁ ନୂଆପଡ଼ାର ତନୁଆଟ ସ୍ଥିତ ଆଦିବାସୀ ସମାଜ ଭବନରେ ଏକ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଅନେକ ଆଦିବାସୀ ନେତା ଓ ସମୁଦାୟ ନିବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳର ଅନେକ ନେତା ଏବଂ କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦେଇ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ ।
ସଭାରେ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଆଦିବାସୀ ଲୋକମାନଙ୍କର ଉନ୍ନତି ତଥା କଲ୍ୟାଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲା । ଆଦିବାସୀ ସମୁଦାୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସାମାଜିକ ନ୍ୟାୟକୁ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ଆଦିବାସୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀମତୀ ଛୁରିଆ କହିଥିଲେ ଯେ ବର୍ତ୍ତମାନର ବିଜେପି ଶାସନକାଳରେ ଆଦିବାସୀ ମାନଙ୍କର ଅଧୋଗତି ଘଟିଛି । ଆଦିବାସୀମାନେ ଆଜି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଆଦିବାସୀ ହଷ୍ଟେଲରେ ଛାତ୍ରୀମାନେ ଗର୍ଭବତୀ ହେଉଥିବା ବେଳେ ନିର୍ଯାତନା, ବଳାକ୍ରାର-ସମ୍ପର୍କିତ ଘଟଣା ବୃଦ୍ଧି ପାଇବାରେ ଲାଗିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ।
ଆଗାମୀ ଦିନରେ ମଧ୍ୟ ଆଦିବାସୀ ମାନଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ବିଜେଡି ନିଜର ସଂଘର୍ଷ ଜାରି ରଖିବ ।
ବିଜୁ ଜନତା ଦଳ ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଦୃଢ଼ ସଂକଳ୍ପକୁ ଦୋହରାଇ ଜିଲ୍ଲାର ଭବିଷ୍ୟତ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ଶାସନ ଓ ଲୋକ କଲ୍ୟାଣମୁଖୀ ଦୃଷ୍ଟିକୋଣରେ ଅନ୍ତର୍ନିହିତ ଅଛି ବୋଲି କହିଥିଲା । ଦଳ ନୂଆପଡ଼ାର ପ୍ରତ୍ୟେକ ବର୍ଗର ଲୋକଙ୍କ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକତାର ସହ ବିଜୁ ଜନତା ଦଳ ପଛରେ ଛିଡ଼ା ହେବା ଲାଗି ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।
Comments are closed.