Latest Odisha News

BREAKING NEWS

Fake Job Racket: ପୋଲିସ ପଞ୍ଝାରେ ମିଛ ଚାକିରି ରାକେଟ୍‌: ୨ ଗିରଫ

ସମ୍ବଲପୁର: ପୋଲିସ ପଞ୍ଝାରେ ମିଛ ଚାକିରି ରାକେଟ୍‌। ୧୨ ହଜାର ଟଙ୍କା ମିଛ ଚାକିରି ବିକ୍ରି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ଥାନା ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ବଡ଼ବଜାରର ରାହୁଲ ଓରଫ ସମ୍ରାଟ ରାୟ (୩୨) ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡି (୩୪)। ଏମାନେ ଏକ ବର୍ଷ ମଧ୍ୟରେ ୪ ଜିଲ୍ଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାର ପାଖାପାଖି ୨ ହଜାର ଲୋକଙ୍କୁ ଫସାଇ ୨ କୋଟି ଟଙ୍କାର ଠକେଇ କରିଛନ୍ତି।

ସେମାନେ ଆଗାମୀ ଦିନରେ ଆହୁରି ବଡ଼ଧରଣର ଠକେଇ ଯୋଜନା କରୁଥିଲେ, ଯାହାକୁ ପୋଲିସ ପଣ୍ଡ କରିଦେଇଛି। ଅଭିଯୁକ୍ତମାନଙ୍କଠାରୁ ୬୨.୧ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଗଲେ ଆହୁରି ତଥ୍ୟ ଜଣାପଡ଼ିବ। ଏହି ବଡ଼ଧରଣର ନିଯୁକ୍ତି ଠ‌କେଇରେ ସୌମ୍ୟ ସାହୁ ନାମକ ଜଣେ ଛଦ୍ମବ୍ୟକ୍ତି ସହିତ ଆହୁରି ଅନେକ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଶୀଘ୍ର ପୁଲିସ ଗିରଫ କରିବ ଓ ଅବଶିଷ୍ଟ ଟଙ୍କା ଜବତ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି ମୁକେଶ ଭାମୁ।

ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି, ରାହୁଲ ଜଣେ ବଙ୍ଗାଳୀ ଡେଲିଭରି ବଏ। ସେ ତାଙ୍କ କାର୍ଯ୍ୟ ସଂକ୍ରାନ୍ତରେ ବିଭିନ୍ନ ସମୟରେ ପଦ୍ମାବତୀ ତାଣ୍ଡି ରହୁଥିବା ସ୍ଥାନ ସାତୁପାଲିକୁ ଯାଇଥାଆନ୍ତି। ଏକ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା। ସଫେଇ କର୍ମଚାରୀଙ୍କୁ ଚାକିରି ନାମରେ ଠକେଇ ପାଇଁ ସେମାନେ ବଡ଼ଧରଣର ଯୋଜନା କରିଥିଲେ। ଏଥିପାଇଁ ଆରମେକ୍ସ ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ୍‌ ନାମକ ଏକ ନକଲି ସଂସ୍ଥା ଖୋଲିଥିଲେ। ଆହୁରି କିଛି ବ୍ୟକ୍ତିଙ୍କ ସହାୟତାରେ ପ୍ରାଥମିକ ପର୍ଯ୍ୟାୟରେ ସେମାନେ ଗାଁ-ଗାଁରେ ପହଞ୍ଚି ୫ରୁ ୧୦ ଲୋକଙ୍କୁ ନେଇ ବୈଠକ କରିଥିଲେ। ଚାକିରି ପାଇଁ ଲୋକଙ୍କୁ ଆକୃଷ୍ଟ କରୁଥିଲେ। ପରବର୍ତ୍ତୀ ସମୟରେ ୧୦୦ରୁ ଅଧିକ ଲୋକଙ୍କୁ ନେଇ ସମାବେଶ କରିବା ଆରମ୍ଭ କରିଥିଲେ। ନିଜକୁ ସରକାରୀ ସ୍ବୀକୃତିପ୍ରାପ୍ତ ଠିକାସଂସ୍ଥା ଭାବରେ ପରିଚୟ ଦେଇ ସଫେଇ କର୍ମଚାରୀ ଚାକିରି ପାଇଁ ଗରିବ ଏସ୍‌ସି ବର୍ଗଙ୍କୁ ଟାର୍ଗେଟ୍‌ କରି ଠକେଇ କରିଥିଲେ।

Comments are closed.