Latest Odisha News

BREAKING NEWS

ବାତ୍ୟା “ମୋନ୍ଥା”ର ମୁକାବିଲା ପାଇଁ ଟିପିଏସଓଡିଏଲର ଯୋଜନାବଦ୍ଧ ପ୍ରସ୍ତୁତି

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’କୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ତତ୍ପରତା ଦେଖାଇଛି । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ବ୍ୟାପକ ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ପ୍ରସ୍ତୁତ କରାଯାଇଛି ।

ବିଭିନ୍ନ ସ୍ତରର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଟିପିଏସ୍ଓଡିଏଲର ବିସିଡିଏମପି ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଏକ ଉତ୍ସର୍ଗୀକୃତ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ରହିଛି । ଏହି ଯୋଜନା କମ୍ପାନୀକୁ ବ୍ୟବସ୍ଥିତ ଭାବରେ ସତର୍କ ସୂଚନା ଗ୍ରହଣ ଓ ବିଶ୍ଳେଷଣ କରିବା, ବିପର୍ଯ୍ୟୟ ପୂର୍ବରୁ ସତର୍କ ସୂଚନା ଦେବା ଏବଂ ବିସିଡିଏମପି ପରିଚାଳନା କରିବାରେ ସାହାଯ୍ୟ କରିବ। ରେସପନ୍ସ ଟିମର ପ୍ରସ୍ତୁତିକୁ ଯାଞ୍ଚ କରିବା ପାଇଁ ଏକ ମକ୍ ଡ୍ରିଲ୍ ମଧ୍ୟ ଆୟୋଜନ କରାଯାଇଛି ।

ଟିପିଏସ୍ଓଡିଏଲ୍ ଉଭୟ ବିତରଣ ଏବଂ ପ୍ରାଇମେରୀ ସବ୍-ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି। ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସଫର୍ମର ଏବଂ ସୁଇଚ ଗିୟର ସମେତ ଅତ୍ୟାବଶ୍ୟକ ସ୍ପେୟାର ପାର୍ଟସ, ଉପକରଣଗୁଡ଼ିକୁ ମହଜୁଦ ରହିଛି। ଜରୁରୀକାଳୀନ ସେବାକୁ ନିରନ୍ତର ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲର ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରହିଛନ୍ତି।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବଷ୍ଟେସନର ବ୍ୟବସ୍ଥା କରାଯାଇଛି । ଯାହା ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ ସରବରାହ ବ୍ୟବସ୍ଥା ପୁନଃସ୍ଥାପନ କରିବାରେ ସହାୟକ ହେବ । କମ୍ପାନୀର ୫ଟି ମୁଖ୍ୟ ଷ୍ଟୋର୍ ସହିତ, ବିଭିନ୍ନ ସେକ୍ସନରେ ଏଲଟି ଏବିସି କେବୁଲ୍, ପୋଲ୍ ଏବଂ କଣ୍ଡକ୍ଟର ଭଳି ଜରୁରୀ ସାମଗ୍ରୀର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ଅଞ୍ଚଳରେ ୧୬ଟି ଟ୍ରାଞ୍ଜିଟ ଷ୍ଟୋର୍ ସ୍ଥାପନ କରାଯାଇଛି । ସେହିପରି ଗଛ କାଟିବା ପାଇଁ ଦୁଇଟି ଟାୱାର୍ ୱାଗନ୍ ମୁତୟନ କରାଯାଇଛି । ଏହା ସହିତ, କ୍ଷୀଣ ଆଲୋକରେ ଯେପରି ବିଦ୍ୟୁତ ସରବରାହ ବ୍ୟବସ୍ଥା ପୁନଃସ୍ଥାପନ କରିବାରେ କୌଣସି ଅସୁବିଧା ନ ହୁଏ ସେ ଲାଗି ପ୍ରତ୍ୟେକ ଡିଭିଜନରେ ୨୫ଟି ଏଏସକେଏ ଲାଇଟ୍ ଏବଂ ୧୯ଟି ଡିଜି ସେଟ୍ ରଖାଯାଇଛି ।

କମ୍ପାନୀ ୬ଟି ସର୍କଲରେ ବିଦ୍ୟୁତ ବିଚ୍ଛେଦ ବିଷୟରେ ଏସ‌୍ଏମ୍ଏସ୍ ଆଲର୍ଟ ବ୍ୟବସ୍ଥା କରିଛି, ଯାହା ଗ୍ରାହକମାନଙ୍କୁ ବିଦ୍ୟୁତ ବିଚ୍ଛେଦ ଏବଂ ପୁନରୁଦ୍ଧାର ସମ୍ପର୍କରେ ରିଅଲ୍-ଟାଇମ୍ ସୂଚନା ପ୍ରଦାନ କରିବାରେ ସମର୍ଥ ହେବ । ପାରମ୍ପରିକ ନେଟୱର୍କ ବିଫଳ ହେଲେ ମଧ୍ୟ ନିରବଚ୍ଛିନ୍ନ ଯୋଗାଯୋଗ ନିଶ୍ଚିତ କରିବା ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପିଏସସିସି ଏବଂ ସର୍କଲ୍ ମୁଖ୍ୟମାନଙ୍କୁ ସାଟେଲାଇଟ୍ ଫୋନ୍ ପ୍ରଦାନ କରାଯାଇଛି । ପ୍ରାୟ ୫,୯୨୫ କର୍ମଚାରୀ ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ଯେଉଁମାନେ ଅତିରିକ୍ତ ମାନବଶକ୍ତି, ଯାନବାହନ ଏବଂ ମୋବାଇଲ୍ ୟୁନିଟ୍ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତିବଦ୍ଧ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ମୋନ୍ଥା’ର ପୂର୍ବାନୁମାନ କରିବା ପରେ ଆମ ଟିମ୍ ଏହି ଜଟିଳ ସମୟରେ ବିଜୁଳି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ଆମେ ସରକାରୀ ଏଜେନ୍ସି ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ସହିତ ମିଶି କାମ କରୁଅଛୁ । ଆମର ଗ୍ରାହକମାନେ ଯେମିତି ବିଶେଷ କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ହେଉଛି ଆମର ପ୍ରାଥମିକତା। କୌଣସି ଅଘଟଣକୁ ରୋକିବା ପାଇଁ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ।”

୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ କିମ୍ବା ୧୮୦୦-୨୦୨୬ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିଏସ୍ଓଡିଏଲ୍ । ଯେକୌଣସି ବିଜୁଳି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କମ୍ପାନୀ ଏହାର ପରିସରଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ତ୍ୱରିତ-ରେସପନ୍ସ ଟିମ୍ ନିୟୋଜିତ କରିଛି ।

ରିଅଲ୍ ଟାଇମ୍ ମନିଟରିଂ ଏବଂ ବିଦ୍ୟୁତ ସେବା କ୍ଷେତ୍ରରେ ସୁପରିଚାଳନା ପାଇଁ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରରେ ଏକ ୨୪ଘଣ୍ଟିଆ କେନ୍ଦ୍ରୀୟ ପାୱର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର (ପିଏସସିସି) ସ୍ଥାପନା କରିଛି। ଯାହା ୩୩କେଭି ଫିଡର, ପ୍ରାଇମେରୀ ସବ୍‌ଷ୍ଟେସନ ଏବଂ ୧୧କେଭି ନେଟୱର୍କର ନିରବଚ୍ଛିନ୍ନ ପରିଚାଳନା ଏବଂ ନୀରିକ୍ଷଣ କରିବାରେ ସହାୟକ ହେବ। ଏହା ସହ କମ୍ପାନୀ ଜୟପୁର, ରାୟଗଡ଼ା ଓ ଭଞ୍ଜନଗରରେ ଏରିଆ ପାୱର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର‌ (ଏପିଏସସିସି) ସଫଳତାର ସହିତ ସ୍ଥାପନ କରିଛି। ଯାହା ସ୍ଥାନୀୟ ୧୧ କେଭି ଫିଡର ନିୟନ୍ତ୍ରଣ କ୍ଷେତ୍ରରେ ବ୍ୟବହୃତ ହେଉଛି। ବାତ୍ୟା ସମୟରେ ନିରବଚ୍ଛିନ୍ନ ନିରୀକ୍ଷଣ ନିଶ୍ଚିତ କରିବା ପାଇଁ, କମ୍ପାନୀ ଏହି ସମସ୍ତ କଣ୍ଟ୍ରୋଲ ସେଣ୍ଟରରେ ୨୪×୭ ବିଜୁଳି ବ୍ୟବସ୍ଥା କରିଛି।

ସୁରକ୍ଷା ପରାମର୍ଶ:
ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ବାତ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

ବଜ୍ରପାତ ସମୟରେ କୌଣସି ତାର କିମ୍ବା ପ୍ଲମ୍ବିଂରୁ ଦୂରେଇ ରୁହନ୍ତୁ। କାରଣ ଟେଲିଫୋନ୍ ଲାଇନ୍ ଏବଂ ଧାତୁ ନିର୍ମିତ ପାଇପ୍ ବିଦ୍ୟୁତ୍ ସୁପରିବାହୀ ଅଟେ। ବଜ୍ରପାତ, ପ୍ରବଳ ବର୍ଷା, ଝଡ଼ ତୋଫାନ ସମୟରେ ଗଛ କିମ୍ବା ଅସ୍ଥାୟୀ ଗୃହ ତଳେ ଆଶ୍ରୟ ନିଅନ୍ତୁ ନାହିଁ । ଓଦା ହାତରେ କିମ୍ବା ଗ୍ଲୋଭ୍ସ ଓ ଇନସୁଲେଟେଡ୍ ପ୍ଲାଟଫର୍ମ ଭଳି ବିନା ସୁରକ୍ଷା ଉପକରଣରେ କୌଣସି ବୈଦ୍ୟୁତିକ ଉପକରଣକୁ ସ୍ପର୍ଶ କରନ୍ତୁ ନାହିଁ । ବର୍ଷା ପରେ ନାଳ ନର୍ଦ୍ଦମା ଏବଂ ଜଳ ନିଷ୍କାସନ ପ୍ରଣାଳୀଠାରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ ।

Comments are closed.