Latest Odisha News

BREAKING NEWS

ପ୍ରେମିକକୁ ହତ୍ୟା କରି ଘିଅ, ମଦ ଢାଳିଲା ପ୍ରେମିକା

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ହେଉଛି ଅନ୍ଧ । ଆଉ ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପଛାଏ ନାହିଁ । ହେଲେ ସେହି ପ୍ରେମ ଯେତେବେଳେ ବିଷ ହୋଇଯାଏ ମଣିଷକୁ ଅନ୍ଧାର ଦେଖାଯାଏ । ଦିଲ୍ଲୀରେ ସେମିତି ଏକ ଘଟଣା ସମସ୍ତଙ୍କୁ ଚକ୍କିତ କରିଛି । ଗାନ୍ଧୀ ବିହାର ଅଞ୍ଚଳର ୟୁପିଏସସି ଛାତ୍ର ରାମକେଶ ମୀନାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାରେ ଗାର୍ଲଫ୍ରେଣ୍ଡ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ରାମକେଶ ଓ ଅମ୍ରିତା ଚୌହାନ କିଛିଦିନ ହେଲା ଲିଭ ଇନରେ ରହୁଥିଲେ । ହେଲେ ରାମକେଶ ଅମ୍ରିତାଙ୍କ କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ତାଙ୍କ ଲାପଟପରେ ରଖିଥିଲେ । ଅମ୍ରିତା ଏହି ଫଟୋ ଭିଡିଓକୁ ଡିଲିଟ କରିବାକୁ କହିବାରୁ ସେ ରାଜି ହୋଇନଥିଲେ। ଏହାପରେ ଅମ୍ରିତା ରାମକେଶଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ମାଷ୍ଟର ପ୍ଲାନ କରିଥିଲେ।

ଅକ୍ଟୋବର ୬ ତାରିଖରେ ଗାନ୍ଧୀ ବିହାରର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା । ଆରମ୍ଭରୁ ଏହା ବ୍ଲାଷ୍ଟ ବୋଲି କୁହାଯାଉଥିଲା । ନିଆଁ ଲିଭାଯିବା ପରେ ପୋଲିସ ରାମକେଶ ମୀନାଙ୍କ ମୃତଦେହ ଉଦ୍ଧାର କରିଥିଲା ।

ତଦନ୍ତ ବେଳେ ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ସେହି ସମୟରେ ୨ଜଣ ଯୁବକ ମୁଖା ପିନ୍ଧି ପ୍ରବେଶ କରିଥିଲେ । ସେମାନେ ବାହାରିବା ପରେ ହିଁ ବ୍ଲାଷ୍ଟ ହୋଇଥିଲା ।

ପ୍ରଥମେ ପୋଲିସ ତଦନ୍ତ କରିବା ମାତ୍ରକେ ରାମକେଶଙ୍କ ଗାର୍ଲଫ୍ରେଣ୍ଡ ବାବଦରେ ଜାଣିଥିଲା । ଏହାପରେ ସିସିଟିଭିରେ ଆସିଥିବା ଲୋକଙ୍କୁ ଚିହ୍ନିଥିଲା । ବ୍ଲାଷ୍ଟ ବେଳେ ଅମ୍ରିତା ଘଟଣାସ୍ଥଳ ପାଖରେ ଥିଲେ ବୋଲି ଜଣାପଡିଥିଲା । ପୋଲିସ ମୋବାଇଲ ଟ୍ରାକରୁ ସବୁ ତଥ୍ୟ ପାଇଥିଲା । ଅମ୍ରିତାକୁ ପଚରାଉଚରା କରିବାରୁ ସେ ସବୁ ସତ ମାନିଥିଲା । ଅମ୍ରିତାର ପୂର୍ବତନ ପ୍ରେମିକ ସୁମିତ ଏବଂ ତାଙ୍କ ଜଣେ ସାଙ୍ଗ ସନ୍ଦୀପ ସହ ମିଶି ହତ୍ୟାର ଷଡଯନ୍ତ୍ର କରାଯାଇଥିଲା । ସୁମିତ କଶ୍ୟପ ଜଣେ ଏଲପିଜି ସିଲିଣ୍ଡର ଡିଷ୍ଟ୍ରିବୁ୍ୟଟର ଥିଲେ ।

ଅମ୍ରିତା ଫୋରେନସିକ ସାଇନ୍ସର ଛାତ୍ରୀ ଥିବାରୁ ହତ୍ୟାକୁ କିଭଳି ଦୁର୍ଘଟଣାର ରୂପ ଦେଇ ହେବ ସେକଥା ଜାଣିଥିଲେ । ଅକ୍ଟୋବର ୬ ତାରିଖରେ ଅମ୍ରିତା ଏବଂ ସୁମିତ ଘରେ ପ୍ରବେଶ କରିଥିଲେ । ଏହାପରେ ରାମକେଶଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହ ଉପରେ ଘିଅ, ତେଲ ମଦ ଢାଳିଥିଲେ । ଏହିକାମ କରିବା ପରେ ସେମାନେ ମୃତଦେହ ପାଖରେ ଗ୍ୟାସ ସିଲିଣ୍ଡର ପାଇପ ରଖି ବ୍ଲାଷ୍ଟ କରାଇଥିଲେ । ସନ୍ଦୀପ ଭଲ ଭାବରେ ଜାଣିଥିଲା ଗ୍ୟାସ ଚାଲୁ କରି କେତେ ସମୟ ରଖିବା ପରେ ତାହା ବ୍ଲାଷ୍ଟ କରିବ । ତେଣୁ ସେମାନେ ପୁରା ପ୍ଲାନିଂ କରି ହତ୍ୟାକୁ ଦୁର୍ଘଟଣାର ରୂପ ଦେଇଥିଲେ । ସେପଟେ ପୋଲିସ ଏହି ଘଟଣାରେ ସମସ୍ତଙ୍କୁ ଗିରଫ କରିବା ସହ ଏକ ହାର୍ଡ ଡିସ୍କ, ଟ୍ରଲି ବ୍ୟାହ, ମୃତକଙ୍କ ସାର୍ଟ ଓ ୨ଟି ମୋବାଇଲ ଫୋନ ଜବତ କରିଛି ।

 

Comments are closed.