ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ମୋନ୍ଥା । ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ‘ମୋନ୍ଥା’ । ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରି ନିକଟତର ହେଉଛି । ମଛଲିପଟନମ ଠାରୁ ୨୩୦, କାକିନାଡ଼ା ଠାରୁ ୩୧୦ କିମି ଦୂରରେ ଥିବାବେଳେ, ଗୋପାଳପୁର ଠାରୁ ୫୭୦ କିମି ଦୂରରେ ରହିଛି ‘ମୋନ୍ଥା’ । ଏନେଇ ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ୧୦୮ କଲ୍ ସେଣ୍ଟରକୁ ବ୍ୟାକ୍ଅପ୍ ପାୱାର୍, ଇଣ୍ଟରନେଟ୍ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ଜରୁରିକାଳୀନ କଲ୍ ସଂଖ୍ୟାରେ ସମ୍ଭାବ୍ୟ ବୃଦ୍ଧି ଓ କୌଣସି କଲ୍ ଯେପରି ହାତଛଡ଼ା ନ ହୁଏ, ସେଥିପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ କରାଯାଇଥିବା ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ବାତ୍ୟା କାରଣରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଜିଲ୍ଲା ଗୁଡିକରେ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ସଂଯୋଜକଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ବାତ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ଆମ୍ବୁଲାନ୍ସ ସହାୟତା ଯୋଗାଇ ଦିଆଯାଇପାରିବ ।
ସମସ୍ତ ଆମ୍ବୁଲାନ୍ସରେ ଜରୁରିକାଳୀନ ପରିସ୍ଥିତି ପାଇଁ ଅତ୍ୟାବଶ୍ୟକ ଔଷଧ, ପ୍ରାଥମିକ ଚିକିତ୍ସା କିଟ୍ ଓ ଡାକ୍ତରୀ ଉପକରଣ ମହଜୁଦ୍ ରଖାଯାଇଛି । ବହୁସମୟ ଧରି ଜରୁରିକାଳୀନ କାର୍ଯ୍ୟ କରିବା ପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଦିଆଯାଇଛି । ଏହାସହ ବାତ୍ୟା ସମୟରେ ରୋଗୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କଲ୍ ସେଣ୍ଟର ମଧ୍ୟରେ ଏକ ସ୍ୱତନ୍ତ୍ର ସେଲ୍ ପ୍ରତିଷ୍ଠା କରାଯାଇଛି ।
Comments are closed.