Latest Odisha News

BREAKING NEWS

ନଭେମ୍ବର ୧ରୁ ପୁରୀରେ ମାଛଧରା କଟକଣା 

ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ

ପୁରୀ: ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।

ସୂଚନା ଅନୁଯାୟୀ, ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗରକୁ ଆସି ସମାଗମ କରିଥାନ୍ତି। ଏଣୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ନ ହୁଏ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀର ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ଯାଏ ନିଷିଦ୍ଧଞ୍ଚଳ ଘୋଷିତ ହେବ। ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଚଳାଚଳ ଅନୁମତି ନ ଥାଏ। ସମୁଦ୍ର କୂଳରୁ ୨୦ କିଲୋମିଟର ସମୁଦ୍ର ଭିତରରେ ଟ୍ରଲର ଚାଳଚଳ ସଂପୂଣ୍ଣ ନିଷିଦ୍ଧ ଥାଏ। ହେଲେ ଏହାକୁ କେତେକ ଟ୍ରଲର ଚାଳକ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇ ଆସୁଛି।

ତେବେ ଚଳିତ ବର୍ଷ କିଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ କୁ ରୋକାଯାଇପାରିବ ସେ ନେଇ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ୍ ପୋଲିସ, ସାଗର ମିତ୍ରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କିଭଳି ସାମୁଦ୍ରିକ ପେଟ୍ରୋଲିଂ ଠିକଣା ଭାବେ ହୋଇପାରିବ, ବେଆଇନ ଟ୍ରଲର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଏବଂ କଇଁଛଙ୍କ ଅଣ୍ଡାକୁ କିଭଳି ସୁରକ୍ଷିତ ରଖିହେବ ସେ ନେଇ ଆଲୋଚନା ହୋଇଛି।

ପୁରୀ ଜିଲ୍ଲା ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୧ ରୁ ମେ ମାସ ୩୧ ଯାଏ କଇଁଛ ଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କଇଁଛଙ୍କ ସୁରକ୍ଷା ପାଇଁ ଜଏଣ୍ଟ ପେଟ୍ରୋଲିଂ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଦ୍ବାରା ହେବ। କଇଁଛଙ୍କ ସୁରକ୍ଷା ପାଇଁ ଆମେ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବିଙ୍କୁ ସଚେତନ କରୁଛୁ। ତେବେ ଯେଉଁ ମାନେ ନିୟମ ଉଲଘଂନ କରି କଇଁଛ ଙ୍କ ସୁରକ୍ଷା ବିପନ୍ନ କରିବେ ତାଙ୍କ ବିରୋଧ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଯେଉଁ ଅଞ୍ଚଳରେ କଟକଣା ରହିଛି ସେହି ଅଞ୍ଚଳର ମତ୍ସ୍ୟଜୀବି ପରିବାରକୁ ବିଭାଗ ପକ୍ଷରୁ ୧୫ ହଜାର ଟଙ୍କା କ୍ଷତି ପୂରଣ ରାଶି ପ୍ରଦାନ କରାଯାଉଛି।

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ସୁରକ୍ଷା ଦାୟିତ୍ଵ ରେ କର୍ମଚାରି ଓ ବ୍ୟକ୍ତି ବିଶେଷ ଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ। ପୁରୀର ବାଲୁଖଣ୍ଡ, ବ୍ରହ୍ମଗୀରି, କୋଣାର୍କ ଓ ଅସ୍ତରଙ୍ଗ ବନାଞ୍ଚଳରେ ହାଚେରି ତିଆରି କରାଯାଏ। କଇଁଛଙ୍କ ସୁରକ୍ଷା ପାଇଁ ୨ଟି ଟିମ୍ ରଖାଯାଏ। ୫ ଜଣ ୱାଚର୍ କୁ ରଖାଯାଏ। ସମୁଦ୍ରରେ ପେଟୋଲିଂ ପାଇଁ ବୋଟ ବ୍ୟବସ୍ଥା ରହିଛି। ଓଡ଼ିଶା ମେରାଇନ ଫିସରି ରେଗୁଲେଟରି ଆକ୍ଟ ଅନୁଯାୟୀ ବେଆଇନ ଟ୍ରଲର କୁ ଜବତ କରାଯିବା ସହ ମାଛ କୁ ଜବତ କରାଯାଇ ନିଲାମ କରାଯାଏ ବୋଲି ସେ ପ୍ରକାଶ କରିଛନ୍ତି।

ବନ ବିଭାଗ ସୂଚନା ଅନୁଯାୟୀ ଗତ ବର୍ଷ ୨୦୨୪-୨୫ ରେ ୧୭୦ କଇଁଛଙ୍କ ମୃତ୍ୟୁ ହୋଇଥିଲା। ୨୦୨୩-୨୪ରେ ୫୬୮, ୨୦୨୨-୨୩ରେ ୮୯୮ କଇଁଛଙ୍କ ମୃତ୍ୟୁ ହୋଇଥିଲା।

 

 

Comments are closed.